Unknown

 

 

 

 

 

 

 

 

 

 

 

ପଦ୍ମ-ପଳାଶ

ଅଧ୍ୟାପକ ଚୈତନ୍ୟପ୍ରସାଦ ସେଠୀ

 

 

 

 

 

 

 

 

 

 

ଓଡ଼ିଶାର ବରପୁତ୍ର

ସୁସାହିତ୍ୟକ

ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ

(ଚିତ୍ତ ଭାଇ)ଙ୍କୁ...

 

ନିଜ କଥା

 

ବହୁଦିନ ପରେ ମୋର ଯେ ଖଣ୍ଡେ କବିତା ବହି ଆତ୍ମପ୍ରକାଶ କରୁଛି–ତାହା ହିଁ ମୋ ପକ୍ଷରେ ସବୁଠାରୁ ବଡ଼ ଖୁସିର କଥା । ଜୀବନ ଉପରେ କାବ୍ୟ-କବିତାର ବହୁ ଦିଗଦର୍ଶୀ ପ୍ରଭାବ ଆଜି ସର୍ବତ୍ର ସ୍ୱୀକାର କରାଯାଉଛି । ସେ ଦୃଷ୍ଟିରୁ ‘ପଦ୍ମ-ପଲାଶ’ କେତେଦୂର ସାର୍ଥକ ହୋଇପାରିଛି ତାହା ପ୍ରିୟ ପାଠକମାନେ ହିଁ କହିପାରିବେ ।

 

ସତ କହିବାକୁ ଗଲେ ‘ପଦ୍ମ-ପଲାଶ’ର ଯୋଜନା ମୋର ନୁହେଁ, ତାହା ମୋ ସହଧର୍ମିଣୀ ଶ୍ରୀମତୀ ପ୍ରମିଳା ଦେବୀଙ୍କର । ସେ ମୋର ବିଭିନ୍ନ କାଗଜଗଦା ଓ ପତ୍ରପତ୍ରିକାରୁ ତାଙ୍କ ମନମୁତାବକ କବିତାଗୁଡ଼ିକ ବାଛି ପାଣ୍ଡୁଲିପି ପ୍ରସ୍ତୁତ କରି ଦେଇଛନ୍ତି । ତେଣୁ ପ୍ରଥମେ ତାଙ୍କ କଥା ସ୍ମରଣ ନ କଲେ ଭୁଲ୍‌ଟାଏ ରହିଯିବ ବୋଲି ଭାବୁଚି । ମୋର ପରମ ସୁହୃଦ୍‌ ଯଶସ୍ୱୀ ସାହିତ୍ୟିକ ବନ୍ଧୁ ଡକ୍ଟର ରତ୍ନାକର ଚଇନି ‘ପଦ୍ମ-ପଲାଶ’ରେ ରଙ୍ଗ ବୋଳିଛନ୍ତି । ତାଙ୍କର ସଫଳ ଉଦ୍ୟମପାଇଁ ଏହି ଅବସରରେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ବହିଟି ଛାପିବା ଦିଗରେ ପୂଜ୍ୟ ପ୍ରାଧ୍ୟାପକ ତତ୍ତ୍ୱକନ୍ଦର ମିଶ୍ର ଓ ଶ୍ରୀମତି ନିର୍ମଳା ଦେବୀଙ୍କର ସାହାଯ୍ୟ ସହାନୁଭୂତି ଚିର ସ୍ମରଣୀୟ ହୋଇ ରହିବ-। ସେମାନଙ୍କୁ ଏହି ପର୍ଯ୍ୟାୟରେ କୃତଜ୍ଞତା ଜଣାଉଛି ।

 

ଏପରି କାବ୍ୟ-ବିମୁଖ ଓ ମହରଗ ସମୟରେ ‘ବୁକ୍‌ସ ଆଣ୍ଡ ବୁକ୍‌ସ’ ସଂସ୍ଥାର ପରିଚାଳକ କୃଷ୍ଣବାବୁ ଓ ନବବାବୁ ଏହି ବହିଟିକୁ ଯଥାସାଧ୍ୟ ସରସ ସୁନ୍ଦର କରି ପ୍ରକାଶ କରିଥିବାରୁ ମୁଁ ସେମାନଙ୍କ ନିକଟରେ ଋଣୀ । ସର୍ବୋପରି ବହିଟିର ପ୍ରକାଶନ ପାଇଁ ମୁଖ୍ୟତଃ ଯେଉଁମାନେ ମୋତେ ପ୍ରୋତ୍ସାହିତ କରିଥିଲେ, ସେମାନଙ୍କ ମଧ୍ୟରେ ଶିଶୁ-ସାହିତ୍ୟିକା ଲିଲି ଚଇନି, ଅଧ୍ୟାପକ ଅକ୍ଷୟକୁମାର ଦାସ, ଅଧ୍ୟାପକ କ୍ଷେତ୍ରବାସୀ ନାୟକ, ଅଧ୍ୟାପକ ସୁବାସଚନ୍ଦ୍ର ତ୍ରିପାଠୀ, ଅଧ୍ୟାପକ ଧରଣୀଧର ସାହୁ, ଅଧ୍ୟାପକ କରୁଣାକର ମୁଦୁଲି ଓ ଅଧ୍ୟାପକ ବିଜୟକୁମାର ମିଶ୍ର ମୋର ସ୍ମରଣୀୟ ହୋଇ ରହିବେ ।

 

ପଦ୍ମ-ପଲାଶରେ ସନ୍ନିବେଶିତ ଅଧିକାଂଶ କବିତା ବହୁ ଆଗରୁ ଝଙ୍କାର, ପ୍ରଜାତନ୍ତ୍ର, କଳିଙ୍ଗ, ଧରିତ୍ରୀ, ଆସନ୍ତା କାଲି, ପଞ୍ଚରଙ୍ଗ, ଜୀବନରଙ୍ଗ, ମହାଦୀପ ଓ ସପ୍ତର୍ଷି ଆଦି ପତ୍ରିକାରେ ପ୍ରକାଶିତ ହୋଇଛି । ଆଉ କେତେକ କଟକ ଓ ଜୟପୁର ଆକାଶବାଣୀରୁ ପ୍ରଚାରିତ ହୋଇଛି । ଏହି ଅବସରରେ ମୁଁ ସେ ସମସ୍ତ ନିକଟରେ କୃତଜ୍ଞ । ଅଧିକା ଆଉ ବା କ’ଣ ?

 

ଶ୍ରୀଗୁଣ୍ଡିଚା

ବିନୀତ

୧୯୮୦

ଚୈତନ୍ୟପ୍ରସାଦ

Image

 

ସୂଚୀପତ୍ର

 

୧.

ରଥସ୍ମୃତି

୨.

ରଥଯାତ୍ରା : ମେଘ ଓ ସ୍ମୃତି

୩.

ମେଘରାତି

୪.

ପୁନରାବର୍ତ୍ତ

୫.

ଶରତ ଚନ୍ଦ୍ରିକା

୬.

ଛୁଟି

୭.

ଶରତ ଋତୁ ଓ ମୁଁ

୮ .

ଶରତ ଋତୁ ଓ ନିଜ କଥା

୯ .

ପୂଜାଛୁଟିର ଗୀତ

୧୦.

ବାଗ୍ରା ଓ ଶୀତ ରାତି

୧୧.

ଶୀତ ଓ ମୃତ୍ୟୁ

୧୨.

ଶୀତ ଜହ୍ନ

୧୩.

ଶତାବ୍ଦୀର ଶେଷେ

୧୪.

ପୁନଶ୍ଚ ଫାଲ୍‌ଗୁନ

୧୫.

ବସନ୍ତ ଓ ମୁଁ

୧୬.

ଫୁଲ-ଫାଲ୍‌ଗୁନ

୧୭.

ପ୍ରଥମ ବସନ୍ତର ଖେଦ

୧୮.

ଅନନ୍ୟ ସନ୍ଧ୍ୟାବେଳ

୧୯.

ବିମୁଗ୍‌ଧ ସକାଳ

୨୦.

ସାୟନ୍ତନ

୨୧.

ଅନ୍ୱେଷଣ

୨୨.

ଏପିଟାଫ୍‌

୨୩.

ଲୟ ବିଲୟ

୨୪.

ପୁରୀଯାତ୍ରା

୨୫.

ସ୍ମୃତି ଆବୃତ୍ତି

୨୬.

ଦାସିଆ ଉବାଚ

୨୭.

ଶେଷ ଅଧ୍ୟାୟ

Image

 

ରଥ ସ୍ମୃତି

 

ଆଜି ମଧ୍ୟ ଆକାଶରେ ଫିଟିପଡ଼େ ମେଘର ମେଖଳା

ଆଦ୍ୟ ଆଷାଢ଼ରେ କେଉଁ ଅସନ୍ଦିଗ୍‌ଧ ତିଥି ଓ ନକ୍ଷତ୍ରେ

ଆଲୋକରେ ସ୍ଫୂର୍ତ୍ତି ପୁଣି ପବନର ଗତି ଅମାନିଆଁ

ଅନେକ ସବୁଜ ଚିତ୍ର ଲେଖି ହୋଇଯାଏ ଏଣେ ତେଣେ

ବଣ, ବୁଦା, ବଗିଚାର ଗଛଲତା ଦୁର୍ବାଦଳେ–

ଓ ଦୂରନ୍ତ ପର୍ବତ ତୋରଣେ ।।

 

ଏତେବେଳେ ସମୁଦ୍ରର ଆକର୍ଷଣ ତୀବ୍ର ହୁଏ

ଧସାଇ ମୋ ବାଲିର ପାହାଡ଼

ସ୍ୱପ୍ନର ମୀନାର ସବୁ ବାଷ୍ପୀଭୂତ ହୋଇ ଲିଭିଯାଏ

ଜହ୍ନରାତି ବିତେ ଉଜାଗର

ସବୁ କିଛି ତୁଟିଯାଏ ଏଠି ମୋର ସମ୍ପର୍କର ଡୋରି ଖସିଯାଏ

ନିସ୍ତବ୍‌ଧ ଓ ମୃତ ପ୍ରାୟ ମନେ କେତେ ନୀରବ ଚହଳ

ଦେହ ମୋର ପ୍ରାଣ ମୋର ଓ ସମସ୍ତ ସଂଜ୍ଞା ମୋର

ପ୍ରଶସ୍ତ ସେ ଚକାନୀଳ ଆଖିତଳେ ହଜି ହଜି ଯାଏ ।।

 

ଆତ୍ମା ମୋର ହଜିଯାଏ ବଡ଼ଦାଣ୍ଡ ରଥ ଗହଳରେ

ମୁଁ ଖୋଜିଲେ ପାଏ ନାହିଁ ଆହେ ଜଗନ୍ନାଥ,

ତ୍ରସ୍ତେ ବ୍ୟସ୍ତେ ତୁମକୁ ରଥରେ

ତୁମେ କାହିଁ ଝରିପଡ଼ ଅଶ୍ରୁ ହୋଇ, ନିରାଶ୍ରିତ ଅର୍କ୍ଷିତ ଆଖିରେ

ତୁମେ ବା ଅଦୃଶ୍ୟ ଏକ ଭଅଁରର ପରି, ପ୍ରତି ପ୍ରାଣ ବିକଚ କମଳେ

ଛୁଇଁ ପୁଣି ଫେରିଯାଅ ବାରମ୍ବାର କ୍ଷଣ କ୍ଷଣକରେ ।।

 

ଦରିଦ୍ର ଅନାଇଁ ରହେ ଧନ ଲାଗି ଧନୀ ମାଗେ କୋଟିଏ ସମ୍ପତ୍ତି

ସାଧୁ ସନ୍ଥ ଗଡ଼ିଯା’ନ୍ତି ବଡ଼ଦାଣ୍ଡ ଧୂଳି ଓ ଧୂସରେ

ଲଭିବାକୁ ଅସରା ମୁକତି

ମୁଁ ପ୍ରଭୁ ଆସିନି ଆଜି ତରିବାକୁ ପାଇ ତୋର ସାଥୀ

ମୁଁ ଆସିଛି ଦେଖିବାକୁ କେଉଁ ହୃଦେ ତୋର ଅବସ୍ଥିତି ।।

 

ଦେଖ ପ୍ରଭୁ ଜଗନ୍ନାଥ ! ଆଜି ବିଶ୍ୱ ଜନତା ହୃଦରେ

ଅନାହାର, ଅନିଶ୍ଚିତ, ଶଙ୍କା ଆଉ ତ୍ରାସର ଅନ୍ଧାରେ

ପ୍ରାଣ କହମହ ହୁଏ କେଉଁ ଏକ ଧ୍ୱଂସର ଧକ୍‌କାରେ

ତୋର ଯଦି ସ୍ଥିତି ସଦା ସର୍ବସ୍ଥଳେ ଏଇ ପୃଥିବୀରେ

ତୁ ପ୍ରଭୁ ଅର୍କ୍ଷିତ ପ୍ରାଣ ରକ୍ଷାକର ଏଇ ରଥ ଗହଳ ଗୋଳରେ ।।

 

ନଚେତ୍‌ ବୁଡ଼ିବ ରଥ ନୀଳସିନ୍ଧୁ ଅତଳ ଜଳରେ

ନିର୍ବିଂଶ ତୁ ଏକା ହେବୁ ଆଉ କେହି ନ ଥିବେ ବିଶ୍ୱରେ

ମୁଁ ଜରାଶବର ପ୍ରାୟ ଖୋଜି ଲୁଚିଥିବି ପ୍ରଭୁ

ତୋ କୋଇଲି-ବୈକୁଣ୍ଠର ନୀଳଶୈଳ ତଳେ

କରିବି ନିଃଶେଷ ତୋର ସ୍ଥିତି ଏଠି

ମୋ ପ୍ରାଣର ଅବ୍ୟର୍ଥ ଶରରେ ।।

Image

 

ରଥଯାତ୍ରା : ମେଘ ଓ ସ୍ମୃତି

 

ସଦୃଶ୍ୟ ରଥରେ ବିଜେ ଜଗନ୍ନାଥ । ମେଘବର୍ଣ୍ଣ

ଅଷ୍ଟାଙ୍ଗ ଶରୀର, ଆଦ୍ୟ ଆଷାଢ଼ର ମେଘ ଝରିପଡ଼େ

ଆକାଶରୁ କେଶ ପରି ଝାଉଁବଣେ ଅବା ବାଲିଚରେ

ବଡ଼ଦାଣ୍ଡେ ଖେଳିବୁଲେ ଅସୁମାରୀ ଆତ୍ମାର ଚହଳ ।।

 

ବର୍ଷାରେ ଖୋଜଇ କିଏ ମୃତ ସ୍ମୃତି । କେତେ ଜନ୍ମ

ଜନ୍ମାନ୍ତର ପ୍ରାରବ୍‌ଧ କର୍ମର, ସବୁକିଛି ହଜିଯାଏ

ମେଘବର୍ଣ୍ଣ ଦେହେ

ମୁଁ ପୁନଶ୍ଚ ହଜିଯାଏ ତୁମଲାଗି ଓ ପୁନଶ୍ଚ ରଥର ଗହଳେ

ଅଶ୍ରୁଳ ଆଖିରେ ଚାହେଁ ଦାରୁମୂର୍ତ୍ତି ତୁମେ ଅବା ଖେଳୁଛ ସେଠାରେ ।।

 

ଟିକିଏ ନ ରହେ ମେଘ, ଆଜି ଅହରହ ସାନ୍ଦ୍ର–

ବର୍ଷା ପଡ଼େ ଝରି । ଗର ଗର ତୁମ ଅଭିମାନ ପରି

ଆଷାଢ଼ୀ ଶ୍ରାବଣୀ ମେଘ କହମହ ଆକାଶରୁ

ତୁହାଇ ତୁହାଇ ବର୍ଷେ ବେଳୁ ବେଳ ଅନ୍ଧକାରେ ଫୁଲି ।।

 

କାହିଁ ବୋଲି କେହି ନାହିଁ । ସ୍ତ୍ରୀ କନ୍ୟା ଅନେକ ଦୂରରେ

ବହୁ ଦିନ ପରେ ପୁଣି ଏ ରଥରେ ବର୍ଷା ପରି–

ତମେ ଆସି ଗିଳି ମୋ ଆକାର

ଦିଗହଜା ଏଇ ପୃଥ୍ୱୀ ଘରଦ୍ୱାର ଓ ମୋର ସମସ୍ତ ବହିପତ୍ର

ସବୁ କିଛି ଅନ୍ଧକାରେ ହଜିଯାଏ । ମୋ ଅସ୍ତିତ୍ୱ ଯାଉଅଛି ଥରି ।।

 

ସନ୍ଧ୍ୟାରେ ଖୋଜିଲି କେତେ ଇନ୍ଦ୍ରଧନୁ ବିବର୍ଣ୍ଣ ଗୋଧୂଳି

ମେଘ ମୋର ବନ୍ଦ କଲା ଝର୍କା ଓ କବାଟ ।

ଆଖିରେ ମୋ ନିଦ ନାହିଁ

ଡାଳପତ୍ରଶୂନ୍ୟ ଏକ ବୃକ୍ଷ ପରି ଦେହ ମୋର ଏଠି

ଅସହ୍ୟ ଯନ୍ତ୍ରଣା ସହେ ବର୍ଷା ଭରା ଅନିଚ୍ଛାରେ ବଞ୍ଚିବାର ପାଇଁ ।।

 

ବର୍ଷାରେ ନ ଦିଶେ ଚନ୍ଦ୍ର ଅବା ସୂର୍ଯ୍ୟ, ଏ ପୃଥିବୀ

ହରାଏ ଉଷ୍ମତା । ସ୍ୱପ୍ନ କାହିଁ ହଜିଯାଏ କିଆବଣେ

ତୁମ କେଶ ବାସ୍ନାର ଆଶାରେ । ତୁମେ କିନ୍ତୁ ନାହଁ ଏଠି

ତୁମ ସ୍ମୃତି ଝରିପଡ଼େ ବର୍ଷା ହୋଇ ଏ ରଥଯାତ୍ରାରେ ।।

 

ସବୁକିଛି ଦେଇଦେବି ମୁଁ ତୁମକୁ । ତୁମେ ପୁଣି–

ହୁଅ ସୁକୁମାରୀ ପାଟବର୍ଣ୍ଣ ସାଧବ ବୋହୂଟି ପରି

ସବୁଜ ଡାଳପତ୍ରରେ ଏକାନ୍ତରେ ଯୋଡ଼ିଦିଅ ମୋତେ

ଏ ରଥର ଗହଳରେ ମୁଁ ନାଚିବି ବଂଶୀଧରି–

*ବେଣୁପଡ଼ା ବାବାଜୀଙ୍କ ପରି ।।

 

*

ପୁରୀଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନାରେ ବେନୁପଡ଼ାଠାରେ ଓଡ଼ିଶାର ବୈଷ୍ଣବ ପଞ୍ଚସଖାଙ୍କର ଗାଦୀବ୍ରହ୍ମ ମଠ ଅବସ୍ଥିତ । ସେଠାର ବୈଷ୍ଣବ ସେଠାରେ ବୈଷ୍ଣବ ବାବାଜୀମାନେ ମୁଣ୍ଡରେ ଟୋପି, ହାତରେ ବଂଶୀ ଧରି ରଥଯାତ୍ରାରେ ବିଭୋରହୋଇ ନାଚନ୍ତି ।

Image

 

ମେଘ ରାତି

 

କେତେଦିନ ପରେ ସତେ ଆଜି ଠିକ୍‌ ତୁମପରି

ଅବାଟେ ଆସଇ ଚାଲି–ଏ ଆଲୁରି ମେଘ ହୋଇ ତଡ଼ି

ଫିଟିଲା ଅଳସ ବେଣୀ ଓଦା ହୁଏ, ତିନ୍ତିଗଲା

ଶାଢ଼ୀ ଉଡ଼ିଯାଏ; ଆକାଶରେ ବଉଦ ଘୁମାଏଁ ।।

ଏ କି ଭାବ ସତେ ଏ ମେଘର, ନିର୍ଜନ ଗଳିରେ

ଏବେ ରାତି ଆଠଟାରେ ଗ୍ଲାନିସବୁ ଧୀରେ ଓଦା କରେ

ନୀରବରେ ବର୍ଷା ଝରେ ଖାଲି ଝରେ ଲୁଣିଆଁ ଓଠରେ

ଲମ୍ବାଇ ତା’ ଗୋଡ଼ହାତ ଅନ୍ଧକାର ନିର୍ଜନ କକ୍ଷରେ ।।

କିବା ଆବଶ୍ୟକ ଅଛି ରାସ୍ତାସବୁ ପ୍ରବଳ ବର୍ଷାରେ

ତିନ୍ତି ସଢ଼ି ବୋହିଗଲେ ନାଳ ନର୍ଦ୍ଦମାରେ

ଚା’ ଅବା କଫିମାନ ବାଦଶାହୀ କପ୍‌ ଭରି ବାମ୍ଫ ହୋଇଗଲେ

ଯଦିଚ ନ ଥାଏ କିଛି ମାନେ ସେ ସବୁରେ

ସେମାନଙ୍କୁ ସଙ୍ଗେ ନେଇ ଗପକରି ତାସ୍‌ ଖେଳିବାରେ ।।

ଅକ୍ଲେଶରେ ଏ ବର୍ଷାକୁ ଓ ତାହାର ଆନୁସଙ୍ଗିକଙ୍କୁ ସହଜରେ

ମୁକ୍ତି ଦିଆଯାଇପାରେ; ତେଣୁ ଆଜି କ୍ଷତି କ’ଣ ବର୍ଷାରେ ବୁଲିଲେ ?

କେହି କହିବାକୁ ନାହିଁ, ବରଂ ବେଶୀ ଭଲ ଲାଗେ

ଏ ବର୍ଷାରେ ଓଦାହୋଇ ସହରର ସେ ବସ୍ତିର ଦିନରାତି କାଶୁଥିବା ବୁଢ଼ୀ

କୁଡ଼ିଆର ଚା ଦୋକାନରୁ ତା’ ନଅବର୍ଷିଆ ଝିଅ

ସେବତୀଠୁ ଚା’ କପେ ନିଃଶେଷ କରିଲେ ।।

ରାଗ ଓ ବିରକ୍ତ ଭରି ଏ ମେଘ ଭୀଷଣ ବର୍ଷେ

ତୁମେ ଅବା ରାଗିଥିବ ଅଭିମାନେ ଓ ଗ୍ଲାନିରେ

କାହା ସମ୍ମୁଖରେ ଫାଟି ପଡ଼ୁଥିବ, ଅସଂଯତ ଆଖି ଓ ଓଠରେ

ପୁଣି ସେ ସମସ୍ତ ଛାଡ଼ି ଦ୍ୱାର କିଳି ଝର୍କା ବନ୍ଦକରି

ଖଟରେ ଦେହକୁ ଫିଙ୍ଗି ତକିଆରେ ବର୍ଷା ଢାଳୁଥିବ ।।

ରାତିର ଏ ବର୍ଷାଟାରେ ଅଭିମାନେ ନୀରବ ସେ ଘରେ

ଟପ୍‌ ଟପ୍‌ ପାଣି ଗଳେ ତୁଳିପରୁ ଘର ମଝିଟାରେ

ପୁଅଟି ପଡ଼ିଛି ଶୋଇ ସ୍ତନର ଚୁଚକ ତୁମ ସ୍ଥିର ତା’ ପାଟିରେ

ବାହାରୁ ଅଗଣାପଟ ନଳାର ମୁହଁରେ

ଜୁଳୁ ଜୁଳୁ ଚାହିଁରହି ସାପଟିଏ ଭିଜଇ ବର୍ଷାରେ ।।

ତମେ ବଡ଼ ଅସମର୍ଥ ତମେ ତାକୁ ମାରିନାହଁ ପାର

ତମେ ବଡ଼ ଅସମର୍ଥ ପାଟିକରି ତାକୁ ପୁଣି ଘଉଡ଼ାଇବାରେ

ତମେ ବଡ଼ ଆତଙ୍କିତ ସେ ଯଦି ମାରିଦେବେ ତାକୁ

ତମେ ମଧ୍ୟ ଚାହଁନାହିଁ ଅକାରଣେ ସାପଟାଏ ଘରେ ପଶିବାକୁ ।।

ବର୍ଷା ବି ବିଳପି ଉଠେ ତୁମଲାଗି ତୁମ ଅଗଣାରେ

ବାହାରେ ଓ ବାରଣ୍ଡାରେ ଜଗନ୍ନାଥ ଟ୍ରଙ୍କରୋଡ଼୍‌ ଅଠରନଳାରେ

ହେ ! ପ୍ରଭୁ ଆର୍ତ୍ତତ୍ରାଣ ଆର୍ତ୍ତହର ଆର୍ତ୍ତହାର ଏ ବର୍ଷା ରାତିର

ବର୍ଷାରାତି କରୁଣ ଏ ଆଷାଢ଼ ବା ଶ୍ରାବଣ ମେଘର ।।

Image

 

ପୁନରାବର୍ତ୍ତ

 

ଚମତ୍କାର ଏ ଶରତ ଋତୁର ସକାଳ । ବେଳେ ବେଳେ ବର୍ଷା–

ପୁଣି ବେଳେ ବେଳେ ତୋଫା ଟାଣ ଖରା । ବିସ୍ତୀର୍ଣ୍ଣ ସବୁଜ ଶସ୍ୟ

ନଈପଠା କାଶଫୁଲ, ସାରାଟା ଆକାଶ ଅବା କରିଦିଏ ତୋରା

ଗଙ୍ଗଶିଉଳିର ବାସ ମହମହ ଦିଗ-ଭାଗ ସବୁ ଆତ୍ମହରା ।।

ସବୁକିଛି ପୋଛିନିଏ ମନ ତଳୁ ଓ ଶରୀର ଆଭ୍ୟନ୍ତରୀଣରୁ

ଥଣ୍ଡା ଓ ବିମୁଗ୍‌ଧ ଏକ ଧୀର ସମୀରଣ-ଭୁଲି ହୋଇଯାଏ ଯେ

ମୁଁ ସମ୍ପୂର୍ଣ୍ଣ ସଢ଼ି ଯାଉଥିଲି ଗଲା ଏକ ଉନ୍ନିଦ୍ର ରାତିରେ

ନିଶବ୍ଦ ବହୁତ ଗୋଳ ଭୋକ ପୁଣି ହାଣକାଟ, ଫୁଟି ନ ପାରିବା ବହୁ

ବାଣ ସର ସର । ଧୂଆଁ ଭର୍ତ୍ତି ବାଟଘାଟ ଅଶାନ୍ତି ଓ ଅସନ୍ତୋଷ

ସବୁଠି ହତାଶ ବାୟୁ ବିବସ୍ତ୍ର ସନ୍ଦେହ । ଅବାସ୍ତବ ଘର ଓ ବାହାର ।।

ମୁଁ କେବେ ନ ଥିଲି ଚାହିଁ ଝର୍କା ମେଲି ଟିକିଏ ଜହ୍ନକୁ

ନିର୍ମଳ ଚନ୍ଦ୍ରମଣ୍ଡଳ କେଉଁପରି ଭାସେ ଆକାଶରେ

ସମୟ ନ ଥିଲା ମୋର ବହୁ ବହୁ ଛୋଟବଡ଼ ହିସାବପତ୍ରରେ

ମୁଁ କେବେ ପଚାରିନାହିଁ ମୋ ଆତ୍ମାର ଭଲ ଓ ମନ୍ଦକୁ ।।

କ୍ୟାନ୍‌ସରର କ୍ଷତପରି ନିତି ନାନା ଚିନ୍ତା ଖାଇ ଖାଇଯାଏ

ଶୀର୍ଣ୍ଣ ମୋର ଦେହ ଓ ମନକୁ

ନା ମୁଁ ରହେ ନୀରବରେ ଘରେ ମୋର, ନା ତିଷ୍ଠି ବି ପାରେ

ନାନା ଗହଳ ଗୋଳରେ

ମୋ ଅସ୍ତିତ୍ୱ ପାଏ ନାହିଁ ମୁଁ ଖୋଜିଲେ–ସାରାଦିନ ସାରାରାତି

ମୋର ବେଶ ପୋଷାକ ଭିତରେ

ସବୁ ବା ଯାଇଛି ହଜି ଏ ଦେଶର ହରିଲୁଟ୍‌ ହାଟ ଗହଳରେ ।।

ଆଜି ବହୁଦିନ ପରେ ଚମତ୍କାର ଏ ଶରତ ଋତୁର ସକାଳ

ଧକ୍‌କାମାରି ଭାଙ୍ଗିଦେଲା ନିଦ ମୋର ମୁଁ ଦେଖିଲି ଦୁଆରେ ଆମର

ଜନତା ଜନାର୍ଦ୍ଦନର ପ୍ରଭାହୀନ ଆତ୍ମା ଏବଂ ଆଖିମାନଙ୍କର

ଦରସଢ଼ା ଛାଇ ଆଉ ନାହିଁ–ହଟାଇ ଦେଇଛି ମୋର ସ୍ତ୍ରୀ ତାଙ୍କୁ

ବୁଲିବାକୁ କାହିଁ କେଉଁ ବଣ ଓ ପାହାଡ଼

ଅବା ବହୁ ଶ୍ରୀହୀନ ଗାଁଗଣ୍ଡା ଅନାତ୍ମୀୟ ସହର ବଜାର ।।

ସ୍ତ୍ରୀ ମୋ ବୁଝନ୍ତି ନାହିଁ ଯେ, ମୋହର ଅବାସ୍ତବ ପ୍ରେମ ଆଜି ଅଫୁରନ୍ତ

ଏ ମୋ ଦେଶ ଜନତାର ପାଇଁ । ଯେଣୁ ମୋ ପ୍ରଥମ ପ୍ରେମ

ମୁଁ ଆସିଛି କେଉଁ ଦୂର ଗାଆଁରେ ହଜାଇ ।।

ମୁଁ ଯାହା କରିଛି ଖାଲି ବସିବାକୁ ଭୁଲି ମୋର ପ୍ରେମ ଓ ପ୍ରେମିକା

ସ୍ତ୍ରୀଙ୍କ କାନିରେ ବାନ୍ଧିହେବ ମୋର ଆତ୍ମା ମୋର ପୁରୁଷକାର

କବିତା ଲେଖିଛି କେତେ ନାଟକର ଅନେକ ଭୂମିକା

ମୁଁ କରିଛି ଅଭିନୟ ତା’ର କିସ ଅଛି ବା ତାଲିକା ! ।।

ମୁଁ ଏକ ଦୁଆରୀ କେଉଁ ଅପେରାର ଶେଷ ପ୍ରହରରେ

ବିଡ଼ି ଟାଣୁ ଟାଣୁ ଚେତା ହଜାଇଛି ସ୍ୱପ୍ନଙ୍କର ତନ୍ଦ୍ରାତୁରା ଗହଳ ମେଳରେ

ହଠାତ୍‌ ଦେଖୁଛି ଏ କି ଆଚମ୍ବିତ ସବୁ ଶୁନ୍‌ଶାନ୍‌

ଅସମ୍ଭବ ସୂର୍ଯ୍ୟାଲୋକ ଭିଡ଼ ଏଠି ନାନା ବର୍ଣ୍ଣାଳୀର

ମୁଁ ଖାଲି ଯାଉଛି ସରି ଜିଙ୍କ୍‌ ପାଉଡ଼ର ରଙ୍ଗ ଅଦ୍ଭୁତ ବେଶରେ

ବହୁ କୌତୁହଳୀ ଆଖି ଚଉପାଶେ ମୋର

ମୋତେ ସାରିଦିଅନ୍ତି ଲାଜରେ ।।

ଶରତର ଚମତ୍କାର ସକାଳରେ ମୁଁ ଭୁଲିଛି ବହୁ ଦୁଃଖ

ବିଗତ ସେ ଦିନମାନଙ୍କର ଗ୍ଲାନିମୟ ଅସଂବୃତ କ୍ଲେଶ

ଫୁଲରେ ଦରୋଟି ହସ ମଧୁମୟ ସୂର୍ଯ୍ୟାଲୋକେ ମହୁ ମୁଗ୍‌ଧ ପବନର ସ୍ପର୍ଶ

ମୋତେ ବିସ୍ପାରିତ କରେ ଆକାଶରେ, ତୋଫା ନୀଳ ସାବ୍‌ଜା ଆକାଶରେ

ରାବଣର ବଧ ପରେ ସତେ ଅବା ରାମଚନ୍ଦ୍ର ଫେରୁଛନ୍ତି

ଏ ପୃଥ୍ୱୀର ସକାଳେ ସକାଳେ–ମୋ ଦେହକୁ ଆତ୍ମା ମୋର ଫେରେ ।।

Image

 

ଶରତ ଚନ୍ଦ୍ରିକା

 

ଚନ୍ଦ୍ରିକା ଏ ଶରତ ଋତୁର !!

ଚହଲାଇ ଦେଇପାରେ ମନ-ପ୍ରାଣ

ଓ ଶିଥିଳ ଅଙ୍ଗପ୍ରତ୍ୟଙ୍ଗକୁ

ରକ୍ତରେ ସଫରୀ ପ୍ରାୟ କେତେ ଅତୀତର

ଅସଂବୃତ୍ତ ସ୍ୱପ୍ନ ସୁହାଗକୁ ।।

 

ସେତେବେଳେ ଶରତ ଋତୁର ଚନ୍ଦ୍ର

ଓ ତାହାର ଚମତ୍କୃତ ପାଲିସ୍‌ ଚନ୍ଦ୍ରିକା

ସ୍ନିଗ୍‌ଧ ତା’ର ହସପରି ମୋତେ କରେ ଏକାନ୍ତ ଚଞ୍ଚଳ

ଅଥଚ ତାହାର ଯଦି ସାମ୍ନାସାମ୍ନି ହୁଏ କେତେବେଳେ

 

ନା’ ମୁଁ କିଛି କହିପାରେ ସ୍ପଷ୍ଟକରି

ନା’ ସେ ସ୍ପଷ୍ଟ ହୁଏ ମୋ ସାମ୍ନାରେ,

ଖାଲି ସାର ହୁଏ-

ଜିୟତ୍‌ କ୍ଷଣଲାଗି ଦୁହେଁ

ଦୁଇଗୋଟି ଚନ୍ଦ୍ରକାନ୍ତ ପଥର ପରାଏ

ତରଳିବା ସ୍ପଟିକ ଏ ଶାରଦୀୟ ଚନ୍ଦ୍ରିକାର ଦେହେ ।।

 

ଏବେ ଆଉ ସ୍ପଷ୍ଟ ମନେ ପଡ଼ୁନାହିଁ

ତା’ର ସୁଗଠିତ ଦେହର ସହର

କେଉଁଠି ହସର ମୁକ୍ତା ସ୍ୱଳ୍ପପ୍ରସ୍ଥା ଓଠ ଅବା

ନୀଳପଦ୍ମ ପରି ଦୁଇ ମେଘାୟିତ ଆଖିର କବିତା

ଚକିତ ପାଦରଚାଲି ଘନ କୃଷ୍ଣ କେଶ ବିନ୍ୟାସ ତା’ ।।

 

ଆଜି ଆଉ ସମୟ ବା କାହିଁ ମୋର

ପଛକୁ ଚାହିଁବି ଫେରି ପୁଣି ସେ କିଭଳି

ଅହଙ୍କାର ଶୂନ୍ୟ ହୋଇ ନୀଳ ସାବ୍‌ଜା ପୃଥ୍ୱୀ ପରି

କାଶତଣ୍ଡୀ ପଠାତଳେ ଅବା ଗଙ୍ଗଶିଉଳି ଶାଖାରେ

 

ହସି ହସି ଡାକେ ମୋତେ ଭାଦ୍ର ଆଶ୍ୱିନର

ଏଇ ତୋଫା ଧୋବ ଧୋବ ଜହ୍ନ ଆଲୁଅରେ

ଅହରହ ଯେଉଁଠି ମୂକର, ସ୍ୱଳ୍ପ ମୋ ଦରମା ହାତେ

ଚତୁର୍ଦ୍ଦିଗୁ କରନ୍ତି କଟାଳ ଦୁର୍ଗାପୂଜା ବଜାର ଗହଳେ

ଜ୍ଞାତି ତଥା ଜନ୍ମିତ ନିଜର ।।

 

ଶାକାମ୍ବରୀ କାୟାପରି ଏ ଶରତ ଋତୁର ଆକାଶ

ତା’ ତଳେ ସଫେଦ୍‌ ଧୋବ ଭୟହୀନ ମେଘଖଣ୍ଡ ତଳେ

ଜହ୍ନ ବେଶ୍‌ ଫାଜିଲାମି ଖେଳେ

ମୋ ଦେହର ଭର୍ତ୍ତି ଥଣ୍ଡା ଓଜନିଆ ସାନ୍ଦ୍ର ଅନ୍ଧକାରେ

ତଥାପି ମୁଁ ତା’ର ହେତୁ କରେ ।।

 

ମୁଁ ଭଲଭାବେ ଜ୍ଞାତ କରେ ଯେ

ସେ ସମସ୍ତ ଦିନର ସବୁକଥା ମିଛମାୟା-ଅହେତୁକ

ତଥାପି କାହିଁକି ମନେହୁଏ ସେ ଥରେ ଆସନ୍ତା କି

ଥଟ୍ଟା କରି ମୋର ଚନ୍ଦାମୁଣ୍ଡ ଥାପୁଡ଼ାଇ

ମୁଁ କହନ୍ତି ଭେରସା-ଢଙ୍ଗରେ ଇସ୍‌ ଥାଉ ଥାଉ

ଆର୍‍ ଘରେ ପିଲାଏ ଅଛନ୍ତି

ସ୍ତ୍ରୀ ଯାଇଛନ୍ତି ଚା’ ପାଇଁ ।।

 

ଅବଶ୍ୟ ମୁଁ ସ୍ଥିର ନିଶ୍ଚିତ ଯେ

ମୋର କିଛି ଲୋଡ଼ାନାହିଁ ତାହାଠାଇଁ

ଅଥଚ ସକଳ ଜଞ୍ଜାଳ ତଳେ ସ୍ମୃତି ତାର ପ୍ରତ୍ୟେ ହୁଏ

ବହୁ ଦିନୁ ମରିଥିବା ଯୌବନର ଅଧାସଢ଼ା ଛାଇ ।।

Image

 

ଛୁଟି

 

ବହୁ ନୀରବତା-ବହୁ ଅତଳ ତଳର

ଏକାକୀତ୍ୱ ପୁଣି ଫେରିଆସେ

ବହୁ ନିଶବ୍ଦ ଜଞ୍ଜାଳ ସାରାଦିନ–

ସାରା ରାତି ଘାରିଯାଏ ମନ

ତଥା ଦେହ ଆଉ ପ୍ରାଣ ।

ମୁଁ ଯେବେ ଅନାଇଁ ବସେ ଝର୍କା ଖୋଲି

ଅନାହୂତ ଛୁଟିଦିନ ଆଶ୍ୱିନର–

ଏ ଆକାଶ ଅହଙ୍କାର ଶୂନ୍ୟ ।।

ଅଫିସ୍‌ ପଡ଼ିଛି ଫାଙ୍କା

କୋଳ ସବୁ ଶୂନ୍ୟ ଅଟେ ପୁଞ୍ଜି ପୁଞ୍ଜି ଚୌକିମାନଙ୍କର

ଟେବୁଲ ଉପରେ ନାନା ଫାଇଲଙ୍କ ଅବିନ୍ୟସ୍ତ

ନିଦ୍ରିତ କ୍ରନ୍ଦନ । ଅଥଚ ନିର୍ମମ ଘଣ୍ଟା ଠିକ୍‌ ଚାଲେ

ଟକ୍‌ ଟିକ୍‌-ଏବେ ମଧ୍ୟ ସୃଷ୍ଟି କରି

ଛାତିରେ ମୋ ଅନେକ ସ୍ପନ୍ଦନ ।।

କାହା ମୁହଁ ଦିଶେ ନାହିଁ ଏଠି ଆଉ

ସୁଚିତ୍ରା ଚୌଧୁରୀ ଅବା ଶତାବ୍ଦୀର ଜାଗ୍ରତ

ପ୍ରହରୀ ସମ ବୃଦ୍ଧ ହାଫିଜ୍‌ ପିଅନ

ଯେ ରଖିଛି ଇତିହାସ ମୋ ପରି ବହୁ ବ୍ୟକ୍ତିଙ୍କ

ଗୃହ ତଥା କ୍ଲବ ଆଉ ଅଫିସ୍ ଜୀବନ ।।

ଅତୀତ ଅନାଇଁ ରହେ ବେଳେ ମୋ ଆଡ଼କୁ

କଟାମାଛ ମୁଣ୍ଡପରି ସ୍ତ୍ରୀଙ୍କର ପାଉଁଶ ଓ ରକ୍ତାକ୍ତ ହାତରେ

ମୁଁ ଖୋଜେ ନିଷ୍କୂତି ତହୁଁ–ମୁଁ ବି ଯାଏ

ରବିବାର ଦିନ ଅବେଳରେ ଅଫିସ୍‌କୁ

ଫାଇଲ୍‌ମାନଙ୍କ ସହ ନାନା ଯୁକ୍ତିତର୍କ କରିବାକୁ ।।

ଏ ବର୍ଷର ପୂଜା ଛୁଟି

ଦୀର୍ଘ ନୀଳ ଲମ୍ବା କ୍ୟାଲେଣ୍ଡର ପରେ

ଠୋପାଏ ରକ୍ତର ଛାପ

ଆତଙ୍କିତ କରେ ମୋର ମନ

ମୁଁ ଯେବେ ଅଫିସ୍‌ ଯାଏ ହାଫିଜ୍‌କୁ ବତାଏ ଅର୍ଡ଼ର

ସୁଚିତ୍ରା ଚୌଧୁରୀ କାହିଁ ?

ହାଫିଜ୍‌ର ନମ୍ର କଣ୍ଠେ ବହୁ ଚିତ୍ର ଅନେକ କଥାର

ସାର୍‌ ଏବେ ସେ ଅଛନ୍ତି କାଲ୍‌କାଟାରେ

ସ୍ୱାମୀସହ କାଟିବାକୁ ପୂଜାଛୁଟି ମହୋତ୍ସବ ଦିନ

ଯେହେତୁ ବିବାହ ତାଙ୍କ ନିକଟରେ ହୋଇଛି ସମ୍ପନ୍ନ ।।

ଛୁଟି ମଧ୍ୟ ଦେଇପାରେ ନାହିଁ ଶାନ୍ତି ମଣିଷ ମନକୁ

ନା’ ଘରେ ସ୍ତ୍ରୀଙ୍କ ସହ ପଦେ ଭଲ କଥା,

ନା’ ବାହାରେ କେହି ଆପଣାର....

ଏକମାତ୍ର ଏ ଆକାଶ ସାଥୀ ମୋର

ଆଶ୍ୱୀନର ପାଲିସ୍‌ ଚନ୍ଦ୍ରିକା–

ପୂଜା ଛୁଟି !

ଆସ ବୁଲିଯିବା ଥରେ ଦୂର ଗାଁ

ପଢ଼ିବାକୁ ନୀରବରେ ଶ୍ୟାମଳ ତା କ୍ଷେତବାଡ଼ି କଥା

ଓ ଅବନା ଅକ୍ଷରର ଅନ୍ତହୀନ ସବୁଜ କବିତା ।।

Image

 

ଶରତ ଋତୁ ଓ ମୁଁ

 

ସବୁଥିରେ ଆତ୍ମୀୟତା, ସବୁଥିରେ ସ୍ନେହ ଢଳ ଢଳ

ସବୁଠି ନିଃଶବ୍ଦ ହସ ଦିଶେ-ଅର୍ଦ୍ଧ ସତ୍ୟ ପରି

କାହୁଁ ଭାସିଆସେ ବାସ୍ନା ଗଙ୍ଗଶିଉଳି ଫୁଲର

ବିସ୍ତୀର୍ଣ୍ଣ ସବୁଜ କ୍ଷେତ ବହୁ ଆଶା କ୍ୱଚିତ୍‌ ଆଶଙ୍କା

ଚିନ୍ତାଶୂନ୍ୟ ଘନନୀଳ ଆକାଶରେ ପବନର ଗତି ଅତି ଧୀର

ସବୁଠାରେ ତୁମରି ବା ସୁବିଲ୍ଲୋଳ–

ଅବାରିତ ସ୍ନିଗ୍‌ଧ ସ୍ନେହାଞ୍ଚଳ ।।

 

ସବୁ ଦୁଃଖ ବହିଯାଏ ବର୍ଷାଶେଷ ନଈର ଜଳରେ

ସ୍ୱଚ୍ଛ ଓ ଅଧୀର କଳ ନିନାଦିତ ଧାବମାନ ନଦୀ

ତା କୂଳରେ ଠିଆ ହେଲେ ଭୁଲି ହୋଇଯାଏ ସବୁ

ଦେଶରେ ଅତୀତ ବହୁ ନିର୍ଯ୍ୟାତନା, ଅତି କଷ୍ଟ ଦରଦାମ୍‌

ପରିବାର ବଞ୍ଚାଇବା ଚିନ୍ତା, ଅବା ନୂଆ ରାଜନୀତି

ଜେ:ପି ଅବା ସର୍ବୋପରି ଭାଗ୍ୟରୁ ନିୟନ୍ତା ।।

 

ତୁମକଥା ମନାପଡ଼େ ଶରତର ଫୁଲ ସଞ୍ଜବେଳେ

ତୁମରି ଆଖିର ନୀଳ ଢଳ ଢଳ ଛାଇ–

ଦୂରନ୍ତୁ ଆସଇ ଭାସି ବ୍ୟାପ୍ତି ଏକ ନୀଳ ଲଫାଫାର

ଚନ୍ଦ୍ରକିରଣରେ ବହୁ ମୀନାକରା ସ୍ୱପ୍ନର ସମ୍ଭାର

ସକାଳେ ସଜଳ କଇଁ ଲୁହପରି ସବୁ ଯୁକ୍ତ ବିଯୁକ୍ତରେ

ଭାଗଫଳ ଶୂନ୍ୟ ଓ ଶୀତଳ ।।

 

ବେଳେ ବେଳେ ଛାଇ ହୋଇଯାଏ ପରିବ୍ୟାପ୍ତ

ଆକାଶ ଓ ସାହା ରାହାହୀନ ମୋର ମନ

ଖୋଳହୀନ ତୁଳା ଶେଯପରି ଖଣ୍ଡ ଖଣ୍ଡ

ଶରତ ଋତୁର କେତେ କେତେ ଭାସିଲା ମେଘରେ

ନଈପଠା କାଶତଣ୍ଡୀ ପୁଣି ଲେଖେ ତହିଁରେ କବିତା

ଏ ପୃଥ୍ୱୀର ଭୌଗୋଳିକ ଉତ୍ତାଜନା ତଥା

ମହାମାନ୍ୟ ବିଶ୍ୟପଙ୍କ ଶାନ୍ତି ଶ୍ୱେତ ବାର୍ତ୍ତା

ବନୋବା ଭାବେଙ୍କ କଥା ବିଶ୍ୱାସ ବି କରିହୁଏ ନାହିଁ,

ତଥାପି ଏସବୁ ପରେ ଆଜି ଏଇ ଶରତ ଶୋଭାରେ

ତୁମ କଥା ଭୁଲି ବି କାହିଁ ?

 

ଶରତ ଋତୁର ରାତି ଚନ୍ଦ୍ରାର୍ପିତ ଶୁନ୍‌ଶାନ୍‌

ନୀରବ ଆକାଶ । ପାତଳ କୁହୁଡ଼ି ଚିରି ଏକାକିନୀ କାହିଁ

କେଉଁ ଏକ ଚାତକ ଚକୋରୀ ଯେବେ ଉଡ଼ିଯାଏ ଧୀରେ

ମୋ ଆଖିର ଅନାସକ୍ତ ଦୃଷ୍ଟି ପରପାରେ

ସେତେବେଳେ ମୁଁ ଫେରଇ ମୋ ଘରକୁ

ଠିକ୍‌ ରାସ୍ତା ବାରି ନାନାଦି ଅଭାବ ଆଉ

ସ୍ତ୍ରୀପିଲା ଗହଳ ଗୋଳରେ

ସେତେବେଳେ ଝଡ଼ିପଡ଼େ ଟପ୍‌ଟାପ୍‌ ନୀରବରେ

ମୋ ମାଂସରେ ଫୁଟୁଥିବା ଫୁଲ

ରକ୍ତର ଉଜାଣି ନଈ ବାଟ ଧରି ଫେରେ

ଭଟ୍ଟା ପଡ଼େ ମୋ ମନ ପଠାର ।।

 

ଆଜି ପୁଣି ରବିବାର ଛୁଟିଦିନ

ମୋର ସହକର୍ମୀ ଉଚ୍ଚ ଅଫିସର୍‌

ଗଢ଼ିବାବୁ ଡାକିଛନ୍ତି ଦେଖିବାକୁ ସିନେମା ଆଜିର

ପୁଣି ଆଜି ଅଚାନକ ଶ୍ୟାମଳୀର

କେତେ ଅନୁନୟ–

ସାର୍‌ ନିଶ୍ଚେ ଆସିବେ ସଂଧ୍ୟାରେ,

ଶ୍ୟାମଳୀ !! ଶ୍ୟାମଳୀ ସତେ କେତେ ଚମତ୍କାର

ନାନା ତରଙ୍ଗର କଥା ତା’ ଦୁଇଟି ନୀଳୋତ୍ପଳ

ଆଖିର ଦୀପ୍ତିରେ ।।

 

ଶ୍ୟାମଳୀକୁ ତମେ ମଧ୍ୟ ଖୋଜିଥିବ ବହୁଦିନୁ

ବହୁଲୋକ ଖୋଜିବାରେ ବ୍ୟସ୍ତ

ସେ ଆସିଲେ ରାସ୍ତାପରେ ସଭିଙ୍କ ଆଖିରେ ଭରା

ସଦ୍ୟ ପ୍ରସ୍ଫୁଟିତ ନୀଳ କଇଁ ଆମନ୍ତ୍ରଣ

ଅଥଚ ତାହାର ମତ ଯେ–

ଏ ସମସ୍ତ ମେଷ ପଲ–ସ୍ୱାର୍ଥପର

ଲୋଳଜିହ୍ୱ ମୃଗଙ୍କର ପରି

ଅବା ବ୍ୟାଘ୍ର ନୃଶଂସ ବା ଚାରୁକଳା ହୀନ

ମୁଁ କିନ୍ତୁ ଠିକ୍‌ ସେ ଜାଣେ

ଯଦିଓ ବା ବେଳେ ବେଳେ ଅନାସକ୍ତ

ତଥାପି ବି ପ୍ରାଣପାତି ନିସନ୍ଦିଗ୍‌ଧେ ତାହାରି ପୂଜାରୀ ।।

 

ଶ୍ୟାମଳୀ ଶକ୍ତିର ଉତ୍ସ ଶ୍ୟାମଳୀ ବି–

ଦେହେ ମୋର ବେଗ ଭରିପାରେ

ଶରତ ଋତୁର ଜହ୍ନ ହାର ମାନିଯାଏ ତା ସାମ୍ନାରେ

ତୁମେ ରହ, କାହିଁ କେତେ ଦୂରେ

ଅଥଚ କରାଏ ସିଏ ମୋତେ ସନ୍ଦର୍ଶନ

ଅପୂର୍ବ ପ୍ରେମର ଚଟ୍ଟା, ଶରତର ଦିଗ୍‌ବିଦିଗ

ଯେତେବେଳେ କରୁଥାଏ ନିଷ୍କଳଙ୍କ ପ୍ରାଣଭରା

ସବୁଜିମା ସ୍ନାନ ।।

Image

 

ଶରତ ଋତୁ ଓ ନିଜ କଥା

 

ବହୁଦିନ ପରେ–

ମନେହୁଏ ଫେରନ୍ତା କି ଠିକ୍‌ ସେହିପରି

ସବୁଜ ସମ୍ଭାର ଭରା ଶରତର ସ୍ମୃତି

ସ୍ୱଚ୍ଛ ନୀଳ ହ୍ରଦ ପରେ–

ହଂସଟିଏ ହୋଇ ଆଉ ଥରେ ।।

 

ଶରତ ଋତୁର ନଈ ବହିଯିବ ଅବିକଳ

ତା’ର ଫିଟିପଡ଼ିଥିବା ଘନକୃଷ୍ଣ କବରୀଟି ହୋଇ

କାଶତଣ୍ଡୀ ଲୋଟିଯିବ କେଉଁ ନଦୀ ଉପତ୍ୟକା ପରେ

ତା’ ଉଚ୍ଛଳ ହସକୁ ମନାଇଁ ।।

 

ସେ ଆସିଲେ ଚହଲିବ ହିମାଦ୍ରିର ମାନସରୋବର

ସବୁଜ ପୃଥିବୀ ପରେ ଛାଇ ତା’ର ରଚିଯିବ କଦମ୍ବ ସୀତ୍କାର

ଫୁଟିବ ଅଳସ କଇଁ ଆକାଶରେ ଜହ୍ନ ହେବ ସ୍ଥିର

ବଉଦରେ ଅର୍ଦ୍ଧଲୁପ୍ତ ପ୍ରାୟ

ସେ ସମୟ ହେବ

ଶରତ ରାତ୍ରିର ଏକ ନିଷିଦ୍ଧ ପ୍ରହର ।।

 

ଗଙ୍ଗଶିଉଳିର ବାସ ମହକାଇ ଦେବ ତ୍ରିଭୁବନ

ଦଶହରା ଦୁର୍ଗାପୂଜା ବଜାରର ଅବିନ୍ୟସ୍ତ ସବୁଜ ଜୀବନ

ନୀଳାଭ ହୋଇବ ସବୁ ମୁହୂର୍ତ୍ତକେ

ହଠାତ୍‌ ହୋଇବ ବନ୍ଦ ମୋ ଦେହର, ମୋ ପ୍ରାଣର

ରିକ୍ତ ପୃଥିବୀର ଶତ ଶତ ସାରସଙ୍କ ଦୀର୍ଘ କଳରୋଳ ।।

 

ବହୁଦିନ ପରେ, ଆଜି ପୁଣି ଶରତର....

ଅଭିନବ ସବୁଜ ପୃଥ୍ୱୀରେ

ସେ ଯଦି ଆସିବ ସତେ ଅମସ୍ମାତ୍‌ ସିଏ ଯଦି ଆସେ

ସିଏ ଯଦି ପଢ଼ିବସେ ମୋର ରୁକ୍ଷ ଦାଢ଼ି ଘେରା

ମୁଖମଣ୍ଡଳର ରେଖା

ଚନ୍ଦା ମୁଣ୍ଡ, ଜୀବନର ବିବର୍ତ୍ତିତ ଭାଷା

ସେ କି କେବେ ବିଶ୍ୱାସ କରିବ ଯେ ମୁଁ କାହାର

ନୁହେଁ ଏଠି, ସମୟର ମୁଁ ଏକ ଅଭିପ୍‌ସା ।।

 

ମୁଁ କାହାର ନୁହେଁ ଏଠି

ତାହାର ବା ଏକାନ୍ତ ମୋ ନିଜର ବି ନୁହେଁ

ଅଥଚ ମୁଁ ସମ୍ପର୍କର ଡୋରି ବୁଣେ

ଏ ପୃଥ୍ୱୀର ଗଛପତ୍ରଠାରୁ ସ୍ତ୍ରୀ କନ୍ୟା

ଆକାଶ ବାତାଳ ଖୋଜି ପ୍ରେମିକାର ଯାଏ ।।

 

ଆଜି ଏ ଶରତ ସମ ପରିଚ୍ଛନ୍ନ, କ୍ଷଣିକ

ମୋ ମନ ଆକାଶରେ

ମୁଁ ଯାହାର ସ୍ମୃତି ଖୋଜେ

ତା’ ରୂପର ସ୍ଥୂଳତ୍ୱ ମୁଁ ପାଶୋରିଛି

ଖାଲି ମାତ୍ର କେତୋଟି ମୁହୂର୍ତ୍ତ

ମନେପଡ଼େ ତା’ ସହିତ

ଯାହା ଅତି ଅବାସ୍ତବ

ସ୍ୱର ଯା’ର ସେଇଠି ସରିଛି ।।

Image

 

ପୂଜା ଛୁଟିର ଗୀତ

 

ତମେ ହେଲେ ଆସନ୍ତ କି !! ଏକା ଏଇ ପୂଜା ଛୁଟିଟାରେ

ତୀର ପରି ଉଦାସ ମୋ ଘରେ !!

ସମୟର ନୀଳ ହ୍ରଦ ଶରତର ସବୁଜ ପୃଥିବୀ

ସ୍ତବ୍‌ଧ ଯେବେ ଥିବେ ସବୁ ଖୁବ୍‌ ଧଳା ସଫେଦ୍‌ ରାତିରେ

ଜହ୍ନ ଖାଲି ଚାହିଁଥିବ କଇଁଫୁଲ ଫୁଟା ପ୍ରହରରେ

ସବୁ କ୍ଲେଶ ଭୁଲିଯିବି । ଅନିଦ୍ରା ମୋ ଆଖିର ପତାରେ

କାକର ପଡ଼ିବ ଲଦି ହଜି ହଜି ଯାଉଥିବା

ଶେଷ ଗଙ୍ଗଶିଉଳି ଗନ୍ଧରେ ।।

 

ମୋ ସ୍ୱପ୍ନର ଶିଳ୍ପ ସବୁ ସାରସର ପକ୍ଷ ଦେଇ ମେଲି

ତୁମ ଦେହେ ଖୋଜିଯିବେ ଶ୍ୱେତ, ଶ୍ୟାମ, ରକ୍ତାଭ ସ୍ୱାକ୍ଷର

ଯେଉଁଠି ମୋ ତୃପ୍ତି ଅଛି, ମୁକ୍ତି ଅଛି–

ଅଛି ସ୍ୱଚ୍ଛ ସ୍ଥିତିର କାକଳି

ଯା’ ଲାଗି ସତେ ଫେରେ ବାରମ୍ବାର ତୁମ ଲାଗି

ପୂତ ଶୁଭ୍ର ମୋ ପୁରୁଷକାର ।।

 

ତୁମର ତିନୋଟି ଗୁଣ ମୋତେ ବେଶ୍‌ ଜଣା । ତାହା ତୁମ

ବିମଳ ଚେତନା ପରେ ଜ୍ଞାନଦୀପ୍ତ ମୁହଁ,

ଅବେ ତୃଷ୍ଣାବିମୋହନ ଗତି

ନତୁବା ଅଳସ ତନ୍ଦ୍ରା ଅନ୍ଧକାର ମାୟାବିନୀ ଦେହ । ମୁଁ ତେଣୁ

ଅଥର୍ବ ଲୋଡ଼େ ସଦା ତାହା ତୁମ ସଙ୍ଗେ

କାଟିବାକୁ ଏପରି ସମୟ ।।

 

ଆଜି ତୁମେ ଭୟଙ୍କର ଆଜି ତୁମେ ଅନ୍ଧକାରମୟ

ଆଜି ତୁମେ ବେଗବତୀ ଆଜି ତୁମେ ମୋହ ଖାଲି ମୋହ

ଆଜି ତେଣୁ ଫେରିଆସ ଏ ନୀରବ ପୂଜା ଛୁଟିଟାରେ

ମୋ ଘରେ ଏକାକୀ ଏଠି ହେଉ ପଛେ ଏ ସୃଷ୍ଟି ପ୍ରଳୟ ।।

 

ମୁଁ ଜାଣିଛି ଠିକ୍‌ ତୁମେ ଗଢ଼ିଦେବ ପୁନଶ୍ଚ ପୃଥିବୀ

ରାଜହଂସ ହୋଇ ପୁଣି ତୁମେ ଫେରି ଆସିବ ଏଠାରେ

ମୋ ନୀଳ ହ୍ରଦରେ କାଟି ପାଣିଗାର ଦୋହଲାଇ

କାଶଫୁଲ ଶେଯ

ଶରତର ଜହ୍ନରାତି ପୂଜାଛୁଟି ଦୀର୍ଘ ଅବକାଶ ।।

Image

 

ବାଗ୍ରା ଓ ଶୀତ ରାତି

 

ପୌଷ ପାହାଡ଼ୀ କ୍ଷେତେ ହସି ହସି ଢଳିପଡ଼େ...

କେଉଁ ଅଜଣା ତିଥିର କ୍ଲାନ୍ତ ଜହ୍ନରାତି–

ବୟସ ହରାଇଥିବା କେଉଁ ଏକ ତରୁଣୀ ବା ଶୁଖିଲା ଓଠରେ

ଅସଂବୃତ୍ତ ହସ ମାଖି ପୁନର୍ବାର କରୁଥାଏ ପ୍ରେମ ନିବେଦନ

ଅପ୍ରାପ୍ତ ବୟସ୍କ ଏକ ତରୁଣ ପାଖରେ, ନିଦରୁ ଉଠାଇ ତାକୁ

ବିଜନ ଗୋଟିଏ ଛୋଟ ଗଳିତ ମୋଡ଼ ଘର ଉହାଡ଼ରେ ।।

ବିନିଦ୍ର ମୋ ଆଖି ତଳେ ତନ୍ଦ୍ରା ଘାରେ ଆଜି

ଯୌବନର ଏ ଶେଷ ଇଲାକା-କାହାକୁ

ଭରସେ ନାହିଁ-ଅଥଚ ସଜଳ ହୋଇ ଜାଗି ରହେ

ସ୍ମୃତି ଯେବେ ଘାରି ଆସେ ହୋଇ ଏକ ଅବୋଧ ବାଳିକା ।।

ଶୀତ ରାତି ବଢ଼ି ଉଠେ, କ୍ରମଶଃ ମୋ ଦେହ ହୁଏ ବୁଢ଼ା

ମନର ରଙ୍ଗ ଯୋଜନା ହଜିଯାଏ ସାନ୍ଦ୍ର ଘନ କୁହୁଡ଼ି ଛାଇରେ

ଜହ୍ନ ପୁଣି ବୁଢ଼ା ହୁଏ, ଏ ପୃଥିବୀ ଛୋଟ ହୋଇ ଆସେ

ମୋ ଚେତନା ଖୋଜି ବୁଲେ ସ୍ଥିତି ମୋର ଏଇ ବାଗ୍ରା ଡାକ-ବଙ୍ଗଳାରେ ।।

ଅରଣ୍ୟର ଏ ପତ୍ର ଝଡ଼ି ପଡ଼ିରହେ–ଆଉ ତାହା ଯୋଡ଼ିହୁଏ ନାହିଁ

ବର୍ଷ ବର୍ଷ ଶୀତ ଆସେ ବର୍ଷ ବର୍ଷ ବସନ୍ତ ବି ହସେ

ଏ ଦୁଇ ମଝିରେ ଯାହା ଖରା ଆଉ ବର୍ଷାର ଯନ୍ତ୍ରଣା

ଆଜି ମୋ ଜୀବନ ଅଙ୍କ କଷିବାରେ ତାହା ଖାଲି ରହେ ଅବଶେଷେ ।।

ବାଗ୍ରାର ପ୍ରପାତ ଡାକେ ଏ ଶୀତରେ ଲମ୍ଫ ଦେବାଲାଗି

ସମୟ ଏଇଠି ଚିର ସବୁଜ ଓ ଦ୍ରୁତ

ତାକୁ କେବେ ଋତୁ ଚକ୍ର, ଜୀବନ ଚକ୍ର ବି

କଦାଚିତ୍‌ ପାରିନାହିଁ ଭାଙ୍ଗି ।।

Image

 

ଶୀତ ଓ ମୃତ୍ୟୁ

 

ସାରାଟା ଅରଣ୍ୟ ମଧ୍ୟେ ଶୀତ ଋତୁ ପକାଏ ଚହଳ

ନିରାଶ୍ରିତ ଟପ୍‌ଟାପ୍‌ ଖସିପଡ଼େ ପତ୍ରସବୁ

ସ୍ତବଧ୍‌ ବୃକ୍ଷଲତା ମାନଙ୍କର ।।

ଅବଶ୍ୟ ମଣିଷ ଦିନେ ଝଡ଼ିଯିବ ହଳଦିଆ ପତ୍ରଟିଏ ପରି

ଦପ୍‌କିନା ଲିଭିଯିବ ତା’ ଆଖିର ଦୃଶ୍ୟାନ୍ତର ଦୃଶ୍ୟ

ଶବ୍ଦ ତା’ର ହଜିଯିବ ଥଣ୍ଡା ଓ ନିସ୍ତବ୍‌ଧ

କେଉଁ ଅନ୍ଧକାର ଆକାଶ ଭିତରେ

ଦେହ ତା’ର ଅଲକ୍ଷ୍ୟରେ ମିଶିଯିବ ମାଟି ପାଣି ପବନ ଓ

ସୂର୍ଯ୍ୟଙ୍କ ଅସ୍ତାୟିତ କିରଣ ଭିତରେ

ସେ ଭାସିବ ସ୍ୱପ୍ନପରି ସୁବିସ୍ତୃତ ଆକାଶ ବକ୍ଷରେ ।।

ଶୀତଋତୁ ପୋଛିନିଏ ହସ ସବୁ ଚିକ୍‌କଣ ଓ ପାଲିସ୍‌ ଓଠରୁ

କେନ୍ଦୁକାଠ ପରି ଦେହ ଫାଟିପଡ଼େ ତା ଶୀତଳ ବରଫ ସ୍ପର୍ଶରେ

ସଙ୍କୁଚିତ ହୋଇଆସେ ସ୍ନାୟୁସବୁ ରକ୍ତସ୍ରୋତ ହରାଏ ଉଷ୍ଣତା

ଧୂସର ବିବର୍ଣ୍ଣ ଏଇ ଜୀବନରେ ମାଡ଼ିଆସେ ସକଳ ଜଡ଼ତା ।।

ଶୀତର ଶୋରିଷ ଫୁଲ ଅବା ତା’ର ଯେତେ ଜହ୍ନରାତି

ସବୁଠି ଫସଲ କଟା ସ୍ୱର ଶୁଭେ, ହଜିଯାଏ ସବୁ ହଂସ ଧ୍ୱନି

ତାଳ ଓ ତମାଳ ତଳେ ଶୀତ ସନ୍ଧ୍ୟା ମଇଁଷି ଗୋଠରେ

ମୃତ ପତ୍ନୀ ଗଉଡ଼ର ଏକକ ବଂଶୀ ସ୍ୱର

ମୋ ହୃଦୟ ଅନ୍ଧକାର କରେ ।।

ତୁମର ସକଳ ବାଞ୍ଛା ପୂର୍ଣ୍ଣ କେବେ ନୋହିବ ସଜନୀ

ତୁମର ହଜିଲା ଦିନ ଆଉ କେବେ ଫେରି ଆସିବନି

ଫେରିବନି ସେଇ ବର୍ଷା ଠିକ୍‌ ସେହିପରି-

ସେ ଶରତ ବଳାକାର ଋତୁ

ଦେହର ହାଡ଼ରେ ମାଂସ ଶ୍ଳଥହୋଇ ଜଡ଼ିଯାଏ

ସେଠି ଏବେ ଫୁଟେ କାଠ ଛତୁ ।।

ଶୀତର କୁହୁଡ଼ି କାହୁଁ ମାଡ଼ିଆସେ ଗିଳି ଗାଁ-ଗଣ୍ଡା ବିଲ-ବଣ

ସୂର୍ଯ୍ୟ ନାହିଁ, ଚନ୍ଦ୍ର ନାହିଁ ଆକାଶରେ

ମୁଁ ଏକାକୀ ବୁଭୁକ୍ଷ ଚକୋର

ରାସ୍ତା ଦିଶେ ନାହିଁ କାହିଁ ଚଉଦିଗ ଦିଶେ ଜରଜର

ମୋ ସାମର୍ଥ୍ୟ ହଜିଯାଏ କେହି ନାହିଁ ସାଥୀ ସହୋଦର ।।

ଏଠି ମୋ ସଭ୍ୟତାର ଯେତେ ନୀତି ଅବା ରାଜନୀତି

ବହୁ ନୂତନତା ସ୍ୱପ୍ନେ ଜ୍ଞାନାନ୍ଧ ମୁଁ ଜାଣିଅଛି କୌଶଳ ଅନେକ

ଦାରିଦ୍ର୍ୟ ଘୋଡ଼ାଇବାର ସବୁ ଗ୍ଲାନି ଦେହେ ଜଳିବାର

ମୋର ବିଜ୍ଞ ଯାଯାବର ଦଳ ଏବେ ରୁଦ୍ଧ ପଥ ଅଚଳ ଦେହର

ବୟସର ମାଘ ମାସ–ଶିକାର ସେ ବରଫ ମୃତ୍ୟୁର ।।

ଶୀତ ଆସେ ସ୍ତବ୍‌ଧତା ଓ ମୃତ୍ୟୁପରି ଆକାଶରେ

ବହୁ ହିମଶୂନ୍ୟ ଉପତ୍ୟକା

ସେଠାକୁ ଚାଲିଲେ ଥରେ ସଜନୀ ଗୋ

ଖୋଜିଲେ ବି ନ ମିଳେ କା’ କା ।।

Image

 

ଶୀତ-ଜହ୍ନ

 

ଏହା କେଉଁ ଅଜଣା ତିଥିର ଜହ୍ନ ଆକାଶରେ....

ବିଷଣ୍ଣ ବଦନେ ଧୀରେ ଡେରିକରି ଉଠେ, ଭୀରୁ ପ୍ରେମିକାର ପରି

ମୋହଗ୍ରସ୍ତ ପୃଥିବୀର ଅନ୍ଧକାର ଚନ୍ଦ୍ରିକାରେ ଠେଲି ଏ ଶୀତରେ

ପ୍ରତ୍ୟେ ହୁଏ ତମେ ଅବା ଆସି ଏଠି ଲୁଚିଅଛ-

ଏଇ ମୋର ପାଚେରୀ ସେପାରେ ।।

 

ଶୀତର ଶୀତ୍କାର ପୁଣି ଲାଗେ ଯେବେ ଏକାନ୍ତ ମନରେ

ଗଭୀର ରାତିର ମାୟା ତନ୍ଦ୍ରାହତ ତୁମ ସ୍ମୃତି ବଂଶୀ ବିତାନର

ଉଦାସ ଆକାଶ ଚିରି ପକ୍ଷୀଟିଏ ଯାଏ କାହିଁ ଉଡ଼ି ବହୁ ଦୂରେ

ହୃଦୟ ହ୍ରଦର ଜଳ ଚହଲଇ ଧୀରେ ସେତେବେଳେ ।।

 

ଶୀତର କୁହୁଡ଼ି ଆସେ ଗିଳି ଗିଳି ଧାନ କ୍ଷେତ ସୋରିଷ କିଆରୀ

ଅଥର୍ବ ଅଳସ ଏକ ଅବସନ୍ନ ଅଜଗର ପରି

ସ୍ୱପ୍ନସବୁ ବୁଢ଼ା ହୁଏ ହାଡ଼ମାଳ କଙ୍କାଳ ଭିତରେ

ତୁମକୁ ଖୋଜିବା ବୃଥା ଅହର୍ନିଶ ଆକାଶର ଅତଳ ନୀଳରେ ।।

 

କଳ୍ପବଟ ପତ୍ରେ ପତ୍ରେ କୁହୁଡ଼ି ଓ କାକରର ଭିଡ଼

ଆତ୍ମା ମୋର ହଜେ ତହିଁ ଶବ୍ଦହୋଇ ଶ୍ରୀମନ୍ଦିର ଗହଳି ଧୂପରେ

ଭାଙ୍ଗରେ ଉଦ୍‌ଗତ ଦେହ ତଥାପି ମୋ ଚେତନା ଦୀପ୍ତିରେ

ମୁଁ ନିରେଖେ ମୁହୁର୍ମୁହୁ ତୁମ ସ୍ଥିତି-

ଗୋଲ ତୁମ ନୀଳ ଦୁଇ ଡୋଳା ପରିଧିରେ ।।

 

କ୍ରମଶଃ ଗଭୀର ହୁଏ ରାତି ପୁଣି ମୁଁ ଫେରଇ ଏକା

ରାସ୍ତାର ଅରକ୍ଷିତ ଏକ ଟୋକା ଶଙ୍କା ଆଉ ହତାଶ ମନରେ

ତଥାପି ବିଶ୍ୱାସ ରଖି ତୁମଠାରେ ସ୍ଥାବର ଓ ଜଙ୍ଗମ ଭିତରେ

ହୁଏତ ମିଳିବ ଦେଖା ଏମିତିକା

ଶୀତ ଜହ୍ନ କାକର ରାତିରେ ।।

Image

 

ଶତାବ୍ଦୀର ଶେଷେ

 

ଆଜି ଏଠି ଶତାବ୍ଦୀର ତନ୍ଦ୍ରା ତୁଟିଯାଏ

ଅଧା ରହିଯାଏ ସ୍ୱପ୍ନ ମନଗହନରେ

ସବୁ ସାଦା ପଡ଼ିଆସେ ଫିକା ଫିକା

ସାରା ଜୀବନଟା ଗଲା ଅସ୍ୱଚ୍ଛ ଧବଳ-

ଶୀତ ଯେବେ ସରିଆସେ ଏ ପୃଥ୍ୱୀର ସୀମା ଛୁଇଁ

ମନ ହୁଏ କିଞ୍ଚିତ୍‌ ସଚଳ ।।

 

ସବୁ କିଛି ଝରିଯାଏ ପୌଷର ବିବର୍ଣ୍ଣ ବଣରେ

ପତ୍ରଝଡ଼ା ଶଦ୍ଦ ପରି ଲୀନ ହୋଇଯାଏ କାହିଁ

ନାନା ବର୍ଣ୍ଣ ନାନା ସ୍ୱାଦ ନାନା ସ୍ୱର ଓ ଶବଦ

ମୋ ଆଖିର ଦିଗ୍‌ବଳୟ ନିଷ୍ପ୍ରଭ ସୀମାରେ

ବହୁ ରାଜନୀତି ଆଉ ମୋ ଦେଶର ବହୁ ମୂର୍ଖ

ବ୍ୟବସ୍ଥାପକମାନଙ୍କ ଦଳ,

ବହୁ ଇସ୍ପାତର ହସ ବଞ୍ଚିବା ନିଶାରେ

ପୁଣି ବହୁ ଲୁହ-ଅନ୍ତର୍ଦ୍ୱନ୍ଦ ଓ ଜୁଆଖେଳର ।।

 

ଗ୍ଲାନିର ଦାବାଗ୍ନି ଏଠି ଚରି ଖାଇଯାଏ ଦେହ ମନ

ତଥାପି ମଣିଷର ପରି ମଣିଷଟେ ନ ଦେଖେ ନୟନ

ମୋତେ ବେଶୀ ଲଜ୍ଜା ଲାଗେ ମୋ ଭୂଷଣ ଖୋଲିଦେବା ଲାଗି

ଯଦିଓ ମୁଁ ବେଳେ ବେଳେ ଜାଣେ ଯେ ସେ ସମସ୍ତ

ଶତ୍ରୁ ମୋର ଗିଳିବାକୁ ମୋତେ ଛନ୍ତି ଜଗି ।।

 

ଏ ବର୍ଷର ଶୀତ ଏଠି ମୁଁ ମାରୁଛି

ଖୋଲି ମୋର ଉଜାଗର ଜହ୍ନରାତି ସ୍ମୃତିର ଉହ୍ମେଇ

ମୁଁ କରିଛି ପଦାଘାତ ପ୍ରେମିକାର ଅଶ୍ଳୀଳ ଇଚ୍ଛାରେ

ମୁଁ ବୋକା ସବୁଠୁ ଓଲୁ ମୁଁ ପଚାରି ବୁଲୁଥିଲି ପ୍ରେମ କ’ଣ

ମାଛ, ମାଂସ ହାଟ ଅବା କଟକର ସେ ପ୍ରସିଦ୍ଧ ପରିବା ବଜାରେ ।।

 

କେତେ ଯେ ଶତାବ୍ଦୀ ଗଲା ତଥାପି ମୋ ସଉଦା ସରିନି

ଅଜଗର ଦେହେ ମୋର ଏ ଶତାବ୍ଦୀ ମାଗୁଛି ମେଲାଣି ।।

Image

 

ପୁନଶ୍ଚ ଫାଲ୍‌ଗୁନ

 

ତଥାପି ବି ଏଇ ଆମ୍ବ ଗହଳ ମାଳରେ ଆଜି ମଧ୍ୟ

କେତେ ସନ୍ଦିଗ୍‌ଧ ମନରେ ନୂଆହୋଇ ଫେରଇ ଫାଲ୍‌ଗୁନ

ବହୁଦିନ ପରେ ଜଣେ ପରିଚିତ ବନ୍ଧୁଙ୍କର ଦୋ-ଦୋ ଚିହ୍ନା

ହସର ଦରୋଟି ତଳେ ଅବା ଧରି କୋଇଲି ନିଃସ୍ୱନ ।।

 

ଆଜି ପୁନର୍ବାର ମୋ ଗାଁ ମେଳଣ ତୋଟା ଫାଟିପଡ଼େ

ଚିତ୍ରିତ ଛତି ତରାସେ ସୁସଜ୍ଜିତ ବିମାନର ପୁଞ୍ଜି ପୁଞ୍ଜି

ଦୋଳ ଗହଳରେ; ଚନ୍ଦ୍ରିକା ଚମକି ଉଠେ

ମଧ୍ୟରାତ୍ରି ବଉଳ ବାସ୍ନାରେ ।।

 

ଫାଲ୍‌ଗୁନର ସେଇ ଏକ ବଦଭ୍ୟାସ

ସ୍ଥଳ ଅସ୍ଥଳରେ

ଦେହକୁ ବିମନା କରେ ଅପ୍ରସ୍ତୁତ କରେ ମଣିଷକୁ

ବୟସ ବାଛ-ବିଚାର ନାହିଁ ତା’ର ସ୍ଥାନ ଅବା

ଏତେ ବଡ଼ ଘରଟାରେ କାହାପାଖେ କାହାର ମର୍ଯ୍ୟାଦା କ’ଣ

ସନ୍ୟାସୀ ବା ଚର୍ଚ୍ଚ-ନନ୍‌ର ନୟନକୋଣରେ

ଭରିଦିଏ ଅହେତୁକ ଇନ୍ଦ୍ରଧନୁ

କଟା ଅଶୋକ ଗଛର ରକ୍ତାକ୍ତ ଇଚ୍ଛାରେ ।।

 

ଫାଲ୍‌ଗୁନ ଆସିଛି ଧାଇଁ ଦିଗ୍‌ବିଜୟୀ ଅଶ୍ୱପରି

ବଣ ପାହାଡ଼ର ଗିରିଝର ଓ ନିଶଙ୍କ ନଦୀଶଯ୍ୟା ଡ଼େଇଁ

ନିକାଞ୍ଚନ ଦ୍ୱିପ୍ରହରେ ଖରା ଖରା ଠିଆରେ ଠିଆରେ

ଚୋରା ଚାହାଣିଟେ ହାଣି ମୋ ଝର୍କାର ଆରପଟେ

କେତେ ଦୁଃଖ ଅତୀତର ଥତମତ ଛାତିରେ ପୂରାଇ ।।

 

ଦୁଃଖ ଆଉ କ’ଣ ?

ଯାହା ଆଜି ଅର୍ଜିତ ଇଚ୍ଛାର

ଆଜନ୍ମୁଁ ଦେହରେ ସତେ ନାନା ସ୍ଥାନେ ନାନା ରୂପେ

କଳା ଓ କଠିନ ଉଷ୍ଣ ଢେଉ ତୋଳି ଆଖି ଓ ଛାତିରେ ।।

ଫାଲ୍‌ଗୁନ ଲିଭାଇଦିଏ ଦାଗସବୁ,

ସ୍ମୃତି ଓ ବିସ୍ମୃତି,

ବେଶ୍ୟାସମ ବଦଳାଏ ବେଶ ଏଠି

ମନକୁ ବାର୍ଣ୍ଣିସ୍‌ ଦେଇ ନୂଆ କରେ

ଯଦିଓ କଙ୍କାଳ ହସେ ବାର୍ଣ୍ଣିସ୍‌ର ରଙ୍ଗ ଉଢ଼ାଳରେ ।।

 

ଏଠି ବି ମୁଁ ଭୁଲିଯାଇପାରେ ପ୍ରମିଳାକୁ

ଏପରି ଇଚ୍ଛାରେ ଯେ’ ତା ସମସ୍ତ ଦେହ ଭରି ଯୌବନର ଆମନ୍ତ୍ରଣ

ଓ ଉଦ୍‌ବୃତ୍ତ ଛାତିର ମୋହ ପ୍ରୀତିଠାରୁ ବଳି ଭଲ ଏ ଜୀବନ

ରାଜନୀତି ବସ୍ତୁଭୋର ଶଠ ଦର୍ଶନରେ

ଯେଉଁଠି କଳ୍ପନା କରେ କୁତୁ କୁତୁ ଦିନ ଦ୍ୱିପ୍ରହରେ

ଧଳା ଧୋତି ଓ ପଞ୍ଜାବୀ ଚକ ଚକ ସୁନା ଫ୍ରେମ

ଚଷମାର ଲମ୍ବା ଚୌଡ଼ା ବତିଶ ବର୍ଷରେ ।।

 

ଏବେ ମୁଁ ଏଠାରେ କ୍ଷମା ଦେଇପାରେ ଅନାୟାସେ

ପ୍ରମିଳାକୁ ଓ ଆମର ସହଧ୍ୟାୟୀ ବିଶିକେସନକୁ

କାରଣ ମୁଁ ମୋ ସମସ୍ତ ଉତ୍ତେଜନା ବିଷୋଦ୍‌ଗାର ଚାପି

ମୁଲାୟମ୍‌ ହସହସି ସେ ମନ୍ତ୍ରୀଙ୍କୁ ଦିଏ ମାଳ

ଯଦିଚ ସେ ଦେଶଦ୍ରୋହୀ, ଜାତିଦ୍ରୋହୀ,

କଳାବଜାରୀଙ୍କ ପ୍ରଭୁ, ଏବେ ଗାନ୍ଧୀ, ଅରବିନ୍ଦ ଭକ୍ତ ପୁଣି

ସଦା ଘୋଡ଼ିହୋଇ ରହିଚନ୍ତି ଖଦଡ଼ ଚାଦର ।।

 

ସେ ହିଁ ମୋତେ ଉଦ୍ଧାରିବେ ବେକାରୀ ଦାଉରୁ

ମୁଁ ରାତି ବାରଟାଯାଏଁ ତାଙ୍କ ବୌଠକଖାନାରୁ

ନିଃଶେଷ ମଦ ବୋତଲ ଅଚଳନ୍ତି ହସ ହସି ଖାଲି କରୁଥିବି

ଓ ପରିଶେଷରେ ସେ ମୋତେ ଅଧା ବୟସରେ

ଛନ୍ଦିଦେବେ ତାଙ୍କ ପରିଚାରିବାକୁ

ଛତିଶ ବର୍ଷରେ ଯିଏ

ତାଙ୍କର ଦୟାରୁ; ଗ୍ରାମସେବିକାର ପଦ ନିଏ ।।

 

ସେତେବେଳେ ଫାଲ୍‌ଗୁନକୁ ମୁଁ ମୋହର

ଦୀପ୍ତିହୀନ ଆଖିପତା ଟେକି ଅନାଇ କହିବି

ତୁମେ ଦେଖିଛ କି ପ୍ରମିଳାକୁ !!

ଧୀରେ କହ ବାର୍ତ୍ତା ତା’ର

ଆର ଘରେ ବୁଢ଼ୀ ସ୍ତ୍ରୀ ମୋର

ସେ ଶୁଣିଲେ ରଖିବନି ମୋ ଇଜ୍ଜତ...

ବିକିଦେବ ଆଜିର ଦାଣ୍ଡରେ–

କରି ଦି’କଡ଼ାର ।।

 

ପ୍ରମିଳାର ଦେହ ଭଲ ନ ଥିବ ଏ ବୟସରେ

ଫାଲ୍‌ଗୁନର ଓ ଆମ୍ବ ବଉଳର କୋଇଲି ନିଃସ୍ୱନ

ତାକୁ ପିତା ଲାଗୁଥିବ ତା’ ଅତିଷ୍ଠ ଗର୍ଭ ବେଦନାରେ

ଘରେ ନ ଥିବ ଔଷଧ ପିଲାଙ୍କର ଭୋକିଲା ଆଖିରେ

ସେ ସମ୍ଭବ ଭାବୁଥିବ ମୃତ୍ୟୁ ଆସୁ ଏଇ ମୁହୂର୍ତ୍ତରେ ।।

 

ତଥାପି ଏସବୁ ପରେ ବେଳେ ବେଳେ

ଫାଲ୍‌ଗୁନକୁ ସେ ଅପେକ୍ଷା କରୁଥିବ

ଭାବୁଥିବ ମୁଁ ଅବା ଖୋଜୁଛି ତାକୁ ସେଇ ମୁହୂର୍ତ୍ତରେ

ଇସ୍‌...କେଡ଼େ ଓଲୀ ସିଏ

ମଣିଷ କି କାହିଁ କେବେ ଅତୀତକୁ ଫେରିଯାଇପାରେ !!

ଯେଉଁଠି ଫାଲ୍‌ଗୁନ ଠିକ୍‌ ପ୍ରତିବର୍ଷ ପରି

ନୂଆ ନୂଆା ବାଟ କାଟି ଚାଲେ ।।

Image

 

ବସନ୍ତ ଓ ମୁଁ

 

ବସନ୍ତ ହସାଏ

ପୁଣି–

ବସନ୍ତ କନ୍ଦାଏ ।।

 

ବସନ୍ତ ଳଗାଏ ନିଆଁ ଦେହେ ମନେ

କେତେବେଳେ ତଣ୍ଟି ଶୁଖେ, କେତେବେଳେ

ଛାତି ଯାଏ ଫାଟି–କେବେ ବା ଛାୟା ଚନ୍ଦ୍ରିକା ତନ୍ଦ୍ରାହତ

କେବେ ପୁଣି ସାରା ଦେହେ ସାରା, ମନେ

ସାରା ଏକ ତୋଫା ଜହ୍ନ ରାତି ।।

 

ବସନ୍ତର ବହୁ ବହୁ ଅବିଗୁଣ ସତ୍ତ୍ୱେ

ମୁଁ ତାକୁ କରଇ ପୂଜା ମୋ ଛାତିର ସିନି ସଞ୍ଜବେଳେ

ନିଛାଟିଆ ଆକାଶରେ ସ୍ତବ୍‌ଧ ରାତି ମଥାନ ଉପରେ

ଚନ୍ଦ୍ରପରି ଏକା ଏକା, ବୋକା ବୋକା ହସ ହସି

ସିଏ ଯେବେ ନିଃଶ୍ୱାସରେ ଥରେ । ସେତେବେଳେ ସତେ !!

 

ଟ୍ରକ୍‌ ଟ୍ରକ୍‌ ଗୋଡ଼ି ବୋହି ଅବା ରାସ୍ତା ପଥର ଫୁଟାଇବାରେ

ଯେତେ ଦୁଃଖ

ମୋ ଦେହୁ ବାହାରିଯାଏ ମୁକ୍ତ ହୋଇ

ଅଚାନକ ଦକ୍ଷିଣା ହାୱାରେ ।।

 

ଫୁଲର ସୁଗନ୍ଧ ଆଣେ ପତ୍ରଝଡ଼ା ବୃକ୍ଷର କଙ୍କାଳୁ

ବେଳେ ବେଳେ ଜୀବନର ମଧୁତିକ୍ତ କୋରସ୍‌ର ସ୍ୱର

ଶୁଖିଲା ଶାଖାରେ ଯେବେ କାଠଚମ୍ପା ଟହ ଟହ ହସେ

ଜରାଗ୍ରସ୍ତ ଦେହ ତଳେ ମୋର

ପ୍ରଶସ୍ତ ଓ ସୁବିଲ୍ଲୋଳ ସମୁଦ୍ରର ନୀଳ ଆଶା ଛାଇ ଛାଇ ଭାସେ ।।

 

ପଳାସ ଫୁଲର ଦୁଃଖ ଯୌବନର ଏ ଶେଷ ପ୍ରହରରେ

ବେଳେ ବେଳେ ଧକ୍‌କା ଦିଏ । ନିଦାରୁଣ ସମୟ ବା ଅଚାନକ

ବଜ୍ରପରି ଛାଣ୍ଡିପଡ଼େ ଏ ମୋର ମଥାରେ

ନିବୁଜ ମୋ ଘରେ ବସି ମୁଁ ଭାବଇ ମୁଇଁ ସତେ ଏକଇ ନିଷ୍କର୍ମା

ଦିନସାରା ସ୍ୱପ୍ନ ଦେଖି, ଭାରି ନିଦେ ରାତି ଶେଷ କଲି

ପଇସା ଅଧଲା କରି ଜୀବନ ମୋ ତୁଚ୍ଛା ବିତାଇଲି ।।

 

ପ୍ରେମରେ ପରାସ୍ତ ପୁଣି, ଅନ୍ତଃସତ୍ତ୍ୱା ନାରୀ ଅଭିଶାପ

ଅଭାବ ଅଭାବ ପୁଣି ବହୁ ଦୁଃଖ ବହୁ ମନସ୍ତାପ

ବହୁତ ଆଶାର ବହୁ ବୃଶ୍ଚିକର ଦଂଶନ ଯନ୍ତ୍ରଣା

ଏପରି ବହୁ ବସନ୍ତ ଇତସ୍ତତଃ ଦୃଶ୍ୟାନ୍ତର ବହୁ ପ୍ରତାରଣା ।।

 

ବସନ୍ତ କନ୍ଦାଏ ସତେ,

ତଥାପି ବି

ବସନ୍ତ ହସାଏ,

ପ୍ରେମିକାର ଖେଳପରି ମୋ ନିର୍ବୋଧ ଜୀବନରେ ହାୟ ।।

Image

 

ଫୁଲ-ଫାଲ୍‌ଗୁନ

 

ବହୁ ଫୁଲରେ ପ୍ରସ୍ଫୁଟିତ ବିଚିତ୍ର ଫାଲ୍‌ଗୁନ

ଚହଲାଇଦିଏ ଦେହ-ଚହଲାଏ ମନ ଆଉ

ବ୍ୟସ୍ତ ଭର୍ତ୍ତି ଦୈନନ୍ଦିନ ତେଲ, ଲୁଣ ପାର୍ଥିବ ଜୀବନ

ଆକାଶେ ଅନେକ ରଙ୍ଗ ଭାସି ବୁଲେ ସାରା ଦିନ

ନରମ ଖରାରେ । ଅତର୍କିତେ ସ୍ତବ୍‌ଧ ହୁଏ ତ୍ରିଛକରେ

ଠିଆ ହେବାପରି ମୁହୂର୍ତ୍ତକ ପାଇଁ କେବେ,

ବିହ୍ୱଳିତ ବିଦଗ୍‌ଧ ଏ ପ୍ରାଣ ।।

ବେଳେ ବେଳେ ଛନ୍ଦି ହୋଇଯାଏ ଆଖି

କିଛିକ୍ଷଣ ଲାଗି ପବନେ ଦୋହୋଲୁଥିବା

ଲମ୍ବ ଲମ୍ବ ବଉଳ କେଣ୍ଡାରେ । ସେତେବେଳେ

ହାଡ଼ ପରେ ଲୋଚାକୋଚା ଚର୍ମ ପୁଣି

ଚମ୍ପା ପରି ଚମକରେ ଥରେ । ମନହୁଏ ମୁଗ୍‌ଧ-

ମହୁମାଛି, ବେଳକାଳ ଗଡ଼ିଯାଏ ନିହାତି ଜରୁରୀ କାମ

କିଛିକ୍ଷଣ ଅଟକେ ସେଇଠି ।।

ଫୁଲପରି ଫାଲ୍‌ଗୁନ ବା ଚିତ୍ତଚୋର ଶ୍ୟାମ ସମ

ସ୍ମୃତିସବୁ ଅନେକ ଦିନର, ଅତଳ ଅତୀତ ଭାଙ୍ଗି ଉଭା ହୁଏ

କେଉଁ ବିସ୍ମୃତିର ସନ୍ଧ୍ୟା ମଧୁର ବଂଶୀରେ, ବହୁ ବହୁ ଫୁଲଙ୍କର

ହୃଦୟୁଁ ସାଉଁଟା-ମହୁର ସୁରେଇ ଅବା ଭାଙ୍ଗି ଢଳିଯାଏ

ତାତିଲା ଧୂଳିର ଜନଗହଳି ଦାଣ୍ଡରେ ତୋଳିବାକୁ ଲାଗେ ଲାଜ

ଅଥଚ ନୀରବେ କେବେ ରହି ନୁହେ ଏ ମନ ଭିତରେ ।।

ଫାଲ୍‌ଗୁନ ପହଞ୍ଚିଯାଏ ଠିକ୍‌ ଫସଲକଟାର-

ବନ୍ୟ ଆଦିବାସୀଙ୍କର ଆଖଡ଼ା ଦୁଆରେ, ସାରା ରାତି

ଚନ୍ଦ୍ର ଢାଳେ ଚନ୍ଦ୍ରିକାର ଅଶେଷ ମଦିରା

ନାଚ ଗୀତେ ଅର୍ନ୍ଧଚେତା

ଧାଙ୍ଗଡ଼ା ଧାଙ୍ଗଡ଼ୀ, ମୁଗ୍‌ଧ ଭୋର୍‌ ମହୁଲ ନିଶାରେ ।।

ଫାଲ୍‌ଗୁନ ଫେରଇ ନାନା ରଙ୍ଗ ଦେଇ

ଏ ପୃଥ୍ୱୀର ପ୍ରତିଟି ଆଖିରେ, ପ୍ରତିଟି ମନେ ଓ ପ୍ରାଣେ

ଭରିଦିଏ ହର୍ଷଭରା ଆଉ ଏକ ବର୍ଷର ଜୀବନ,

ଅଥଚ ମୁଁ ବନ୍ଦୀ ଏଠି ମୋ ଘରେ ନିଷ୍କରୁଣ କୋଠରୀ ଭିତରେ

ବିନ୍ଦୁ ଏକ ଜୀବନର ବିସ୍ତୃତି ବିହୀନ ।।

ନା’ କାହିଁ ଯାଇପାରେ

ମୋ ଉପରେ ଲଦା ହୋଇ ରହିଥିବା

ପ୍ୟାଣ୍ଟ, କୋଟ୍‌ ଦେହରୁ ଖସାଇ ।

ନା’ ମୁଁ ପଦେ ଗୀତ ଗାଇପାରେ

ମନ ଖୋଲି ଅନ୍ୟ କା’ର ମନକୁ ମଜ୍ଜାଇ

ପୁଅ କହେ ‘‘ଛିଃ ଛିଃ ବାପା ପିନ୍ଧ କୋଟ୍‌ ସଦାବେଳେ

କାନ୍ଧ ହାଡ଼ କଦର୍ଯ୍ୟ ଦିଶଇ...’’

ମୁଁ ଯଦିବା ଫୁଲ ତୋଳେ ସରାଗରେ କେବେ

ସ୍ତ୍ରୀ କହେ ଏ କି ଅଲାଜୁକ କଥା–

ଫୁଲ ସିନା ଫୁଟେ ନିତି ଏ ସଂସାର ସ୍ନେହ ନେଇ,

ଈଶ୍ୱରଙ୍କ ପାଇଁ ।।

ସତେ ଅବେ ବସନ୍ତ କାହିଁ କେଉଁ ଦୂର ବଂଶୀର ନିଃସ୍ୱନ

ମୋ ଲାଗି ମୋଠାରୁ ବହୁ ଦୂରେ ଭାସିଯାଏ

ଯଦିଚ ସେ ପୃଥ୍ୱୀର ଦକ୍ଷିଣା ପବନ

ଦେହ ମନ କରଇ ଦଂଶନ ।।

Image

 

ପ୍ରଥମ ବସନ୍ତର ଖେଦ

 

ପ୍ରଥମ ବସନ୍ତେ ଆଜି ତୁମେ ଏଠି ହସ ଚଉଦିଗେ

ଦୂରେ ବା ନିକଟେ ତୁମେ !

ଏବେ ଅବା ଆଉ କେତେବେଳେ

ଛୁଇଁ ଦେଇଗଲ । କିବା ମୋର ଆଶା

ତୁମର ନିଷ୍ପାପ ସ୍ପର୍ଶ ପାଇବି ଏଥର

ସେ ଲାଗି ତୁମ୍ଭଙ୍କୁ ଖୋଜେ ବାରି ବାରି

ପ୍ରତି ଦେହେ ଚଳ ବା ସ୍ଥାବର ।।

ପବିତ୍ର ତୁମର ପ୍ରେମ । ତୁମେ ଏକା ତାହାରି ତଉଲ

ତୁମେଇ ତୁମର ଭାଷା । ଯେଣୁ ତୁମଠାରେ

ହାର ମାନେ ହରରଙ୍ଗି ବଜାରର ମୂଲ୍ୟ ।

ତଥାପି କାହିଁକି ପ୍ରଭୁ ପ୍ରଶ୍ନ ଜାଗେ ମୋର

ତୁମେ କିବା ନୁହଁ ଏଥି ପର ବା ନିଜର ??

ପ୍ରେମର ଅସ୍ୱାଦ ତୁମ ଅନିର୍ବଚନୀୟ

ତା ଖାଲି ପୁଲକ ମାତ୍ର । ପ୍ରତିଫଳନରେ

ଯାହା ଭାଙ୍ଗିଯାଏ ଏ’ ସାରାଟା ଦେହେ

ଶଦ୍ଦହୀନ ସମୁଦ୍ରର ଶହ ଶହ ଢେଉର ଦେହରେ

ଚନ୍ଦ୍ରମାର ରୂପ ମୁଖ ଭାଙ୍ଗି ଜଳିଉଠେ ଯେହ୍ନେ

ପାଣି ଆଉ ଫସ୍‌ଫରସ୍‌ ନୀଳ ଆଲୋକରେ ।।

ଯେ’ ମାନୁଚି ମୁଁ ମଣିଷ ଅଟେ । କେବେ ଟପି ପାରିବିନି

ସୀମା ମୋର, ପାଞ୍ଚପ୍ରାଣୀ ଘର ଅବା ମୋ ପଚିଶ ପ୍ରତିବେଶୀ

ତୁମ୍ଭକୁ ଲୋଡ଼ିଣ ଯିଏ ପ୍ରତି ମୁହୂର୍ତ୍ତରେ ନ ପାଇବା ଖେଦେ

ଅସ୍ଥିର କରନ୍ତି ମୋତେ-ଯାହା ମୋର ଅନୁରକ୍ତ ଦୁଃଖ

ତା’ ଲାଗି ବି ଭାଷା ନାହିଁ ପ୍ରଭୁ ! ନାହିଁ ବା ଦରଦ

ମାତ୍ର ଖାଲି ଷୋଳ ସସ୍ର ଲୁହ ।।

ପ୍ରଭୁ ହେ ତୁମ୍ଭକୁ ଦେବି ପଦ୍ମ । ଦେବି ସୁନା

ରୂପାର ଚଉକି ମୋ ରକ୍ତରୁ । ମୋ ହାଡ଼େ

ଚନ୍ଦନ ଲେପି ଗଢ଼ିଦେବି ତୋଫା ଦୁଇ ସୁବାସିତ ନିର୍ମଳ ପାଦୁକା

ସହଜ ଗତିରେ ଢଳି ଥରେ ଆସି କହ ଭଲା

ପ୍ରେମ କ’ଣ ନିର୍ବାଣର ଶିଖା ??

ମୁଁ ତେବେ ହୋଇବି ବୁଦ୍ଧ : ତେଜି ନଗ୍ର

ଜ୍ଞାତି ପ୍ରତିବେଶୀ ମୋର । ପିନ୍ଧିବି ଧବଳ ବସ୍ତ୍ର

ଲିଭାଇବି ଅଗ୍ନିଶିଖା ହୃଦୟ ମୋ ଚାପି ଦୁଇହାତେ

ଅଙ୍ଗାର କରିବି ମୋର ଅଭ୍ୟନ୍ତର

ଇଚ୍ଛା ମୋର ହଜାଇବ ପଥ ।।

ତାହା କ’ଣ ଅନିର୍ବଚନୀୟ ପ୍ରଭୁ ! ତାହା କ’ଣ ପ୍ରେମ ।

ତାହା କିବା ଜୀବନର ଐକାନ୍ତିକ ମିଳନ ନିର୍ବାଣ !

ତାହା କ’ଣ ସନ୍ଧ୍ୟା ଆଉ ସକାଳର ଦୃଶ୍ୟ ମନୋରମ

ତାହା କି ଫୁଲର ଶୋଭା ! ସମୁଦ୍ରର ନୀଳ ଆସ୍ତରଣ ।।

ଅଥବା ସେ କେବଳ ମୁଁ...

କିମ୍ବା ମୋର ଯେତେ ରୂପାନ୍ତର

ଏବଂ ଯେତେ ସତ୍ତା ମୋର ବିଭକ୍ତ ଅସ୍ତିତ୍ୱ–

ଅଗଣିତ ଭଗ୍ନାଂଶ ଚିନ୍ତାର ।।

Image

 

ଅନନ୍ୟ ସନ୍ଧ୍ୟାବେଳ

 

ବିହଗ ବନ୍ଦିତ ଏକ ସନ୍ଧ୍ୟାବେଳ

ତୁମର ବା ପାଇଥିଲି ଦେଖା

ଗଛ ଡାଳେ କୃଷ୍ଣଚୂଡ଼ା ଟହ ଟହ ହସ ଆମନ୍ତ୍ରଣ

ଆମ୍ବ ବଉଳର ମୁଗ୍‌ଧ ମହକେ ବିଭୋର ମୁଁ

ହଜାଇଥିଲି ମୋ ସ୍ଥିତି ତୁମକୁ ହିଁ ପାଇ ସେଠି ଏକା ।।

ସେ ଦିନ ପବିତ୍ର ଥିଲା ଦିଗଭାଗ ଚଉପାଶ ମୋର

ମୋ ପ୍ରଲୁବ୍‌ଧ ଦୁଇ ଆଖି, ହାତରେ ପାପୁଲି

ଚିତ୍ତ ବା ଚେତନା ଯାହା ଥିଲା ମୋର ଦେହେ

ଆତୁର ମଳୟ ମନ୍ଦ ବହୁଥିଲା ବେଳେ ବେଳ

ଗତି ତା’ର ଥିଲା ଖିଲି ଖିଲି ।।

ତା’ ପରେ ଯାଇଛ ତୁମେ ଆଶାଦେଇ ଅନେକ ଦିନର

ବହୁ ବିଳମ୍ବିତ ସଞ୍ଜ ସକାଳର ବହୁ ଦୃଶ୍ୟାନ୍ତର

ମୁଁ ଘୂରିଛି ବହୁ ପଥ ଏ ପୃଥ୍ୱୀ ବା ଗ୍ରହ ଗ୍ରହାନ୍ତର

ମୁଁ ଆଉ ଦେଖିନି ସେଇ ସନ୍ଧ୍ୟାବେଳ ରୂପଟି ତୁମର ।।

ସୁଶ୍ୟାମଳ ଦୁର୍ବାଦଳ ପରି ଶେଯ ଆକାଶ ପୃଥିବୀ

ସେଦିନ ତୁମକୁ ନେଇ ରଚିଥିଲା କେଉଁ କୁଞ୍ଜବନ

ବହୁ ବିହଗର ସ୍ୱନ ବିନନ୍ଦିତ ଏକ ସାୟନ୍ତନ

ହସରେ ତୁମର ଏକ ସ୍ନିଗ୍‌ଧ ଏକ ଆଲୋକର ରେଖା

ପଶ୍ଚାତରେ ଘନକୃଷ୍ଣ ରାତ୍ରିର ନିକ୍ୱଣ ।।

ତୁମର ଇଙ୍ଗିତ ଥିଲା ରାତ୍ରି ପରେ ହେବ ପୁଣି ଦେଖା

ଅଥଚ ମୁଁ ପରିଶ୍ରାନ୍ତ ବହୁ ରାତ୍ରି ବହୁତ ଅନିଦ୍ରା

ବହୁ ଅସନ୍ତୋଷ ନେଇ ମୁଁ ଘୂରିଛି ଜନ୍ମ ଜନ୍ମାନ୍ତର

ମୁଁ ଖାଲି ଦେଖିଛି ମାତ୍ର ଅସରନ୍ତି ତମିସ୍ରା ତମିସ୍ରା ।।

ତମିସ୍ରା ତୁମର ଅଙ୍ଗ ଆବୋରି ବା ରହିଅଛି ଚିର

ତମିସ୍ରା ନ ଜାଣେ ତା’ର ଆତ୍ମା ତୁମେ

ମୋହ ମୁଗ୍‌ଧ ଗଭୀର ଅନ୍ଧାର,

ମୁଁ କାହିଁ ଜାଣିବି ପ୍ରଭୁ ଅକିଞ୍ଚନ ଶରୀର ସର୍ବସ୍ୱ

ଯେଣୁ ମୋ ଶରୀର-ପ୍ରାଣ ଚିରଦିନ ଅନ୍ଧକାରେ ବଶ ।।

ଆଜି ତେଣୁ ପ୍ରଭୁ ଯେବେ ହଜିଯାଏ ଆଖି ତଳୁ ଜ୍ୟୋତି ମୋ ସକଳ

ଆଜି ଯେବେ ସନ୍ଧ୍ୟା ଆସେ ବସନ୍ତର ମୁଗ୍‌ଧ ମନୋହର

ଆଜି ପୁଣି ଛାତି ତଳେ ସ୍ତର ସ୍ତର ପାଷାଣ ବିଦାରି

ତୁମ ସ୍ୱପ୍ନ ଉଙ୍କିମାରେ ବହୁ ବହୁ ବିହଗଙ୍କ ସ୍ୱନେ

ତୁମ ବଂଶୀ ସ୍ୱନ ବାରି ବାରି ।।

Image

 

ବିମୁଗ୍‌ଧ ସକାଳ

 

ଦେଖୁଛ ! ଦେଖୁଛ !! ଏହା କେଉଁ ଅପୂର୍ବ ସକାଳ

ପୂର୍ଣ୍ଣ କରିଦିଅ ମୋର ଲୋଚାକୋଚା ପାଇଜାମା ଜୀର୍ଣ୍ଣଶୀର୍ଣ୍ଣ କାମିଜ ଓ

କଙ୍କାଳର ସବୁ ଅଭ୍ୟନ୍ତର, ଉବୁଟୁବୁ ଆଲୋକରେ

ଶୁଭ୍ର ଓ ସତେଜ ଲାଗେ ଘରଦ୍ୱାର, ଚତୁର୍ଦ୍ଦିଗ ଭିତର ବାହାର

ଆଃ ! ଚମତ୍କାର ଏ ସକାଳ ।।

ମୁଁ ଅବା ଆଳାପ କରେ ଚୁପ୍‌ଚାପ୍‌ ସାମ୍ନାସାମ୍ନି ମୋର

ଠିଆହୋଇ ରହିଥିବା ଦୀର୍ଘ ଏକ ଅଶ୍ୱତ୍‌ଥ ବୃକ୍ଷର ପତ୍ର ସହ,

ଡାଳ ସହ, କାଣ୍ଡ ସହ ଓ ଗଭୀର ଚେର ସହ । ଯାହାକୁ

ମୁଁ ତୁଚ୍ଛକରି ଚାଲିଥାଏ ନିତିପ୍ରତି ନ ଚାହିଁଣ ଲବେ

ସେ କି ଅବା ଆଜି ମୋତେ ଅକସ୍ମାତ୍‌ ଡାକୁଛି ଆବେଗେ

ଆଜି ଯେବେ ଅସମ୍ଭବ ଆଲୋକର ଭିଡ଼େ

ଏ ସକାଳ ଅଜଗର ନିଦ୍ରା ମୋର ଭାଙ୍ଗେ ।।

ପବନେ ଆଳାପ ଆଜି ଶିରି ଶିରି ଚୋରା କେଉଁ ଦକ୍ଷିଣା ହାୱାର

ହଠାତ୍‌ କୋଇଲି ଡାକ ଦୂରୁଁ ଶୁଭେ ଅସ୍ପଷ୍ଟ ଓ ଉଡ଼ିଯାଏ

ଆକାଶରେ ହଳଦୀବସନ୍ତ

ଆକାଶ ଉଲ୍ଲସି ଉଠେ ନୂଆ ଏକ ବିନମ୍ର ନୀଳରେ

ବଗିଚାରେ ଅଭ୍ୟର୍ଥନା ବହୁ ଫୁଲଙ୍କର

ନିଶ୍ଚେଷ୍ଟ ଏ ମରୁଚରା ମନ ମୋର କରିଦେଇ ସିକ୍ତ ।।

ରତ୍ନା !! ତୁମେ ଆଜି ବନ୍ଦକର ଦୈନନ୍ଦିନ ରୋଷାଇ ଜଞ୍ଜାଳ

ବନ୍ଦକର ବହିପତ୍ର ଯାହାକିଛି ଲାଭକ୍ଷତି ହିସାବ-ନିକାଶ

ଆସ ଥରେ ବୁଲିଯିବା ଏ ସକାଳ ଆମନ୍ତ୍ରଣ ରଖି

ଥାଉ ଥାଉ ଅଙ୍ଗନ୍ୟାସ କେଶ ବିନ୍ୟାସ ବା

(ଉଛୁର ହେଉଛି)ଦେଖ ଦେଖ ଆଜି ଏ କି ପ୍ରାଣର ବିଳାସ ।।

ରାସ୍ତାରେ ଓହ୍ଲାଇ ଗଲେ ଏଇ ଦିଶେ ବକୁଳ ଓ ନାନା ଗଛପତ୍ରଙ୍କର

ଶଦ୍ଦହୀନ ଡାକ ମନୋହର । ଛନ୍ଦି ନେଇଯାଏ ଅବା ଦେହ ମୋର,

ମନ ମୋର ଓ ପ୍ରାଣ ମୋର

ପବନେ ଦୋହଲୁଥିବା ଲମ୍ବ ଲମ୍ବ କେଣ୍ଡାଭରି ଦରଫୁଟା ଏ ଆମ୍ବ ବଉଳ

ସତେ ବା ସମୟସ୍ରୋତ ମହୁ ମୁଗ୍‌ଧ ରାସ୍ତା ଭୁଲେ ଏଠି

ପବନେ ଭୁଆଁଟା ବୁଲି ସହକାର ମାଳ ଓ ତମାଳ ।।

ଆଜି ବା ବିମୁଗ୍‌ଧ ସବୁ ଗଛ ଲତା ଆକାଶ ପୃଥିବୀ

ଉଦୟ ଉନ୍ମୁଖ ସୂର୍ଯ୍ୟ ଆଲୋକ ଛଟାରେ-ସବୁକିଛି ଉଜ୍ଜୀବିତ,

ଏଇ ଦେଖ ବୃଦ୍ଧ ଏକ ହତବଳ ବଳଦ ଆଖିରେ

ନୂଆ ପଲ୍ଲବିତ କେତେ ଦୁବଘାସ ଉଲ୍ଲାସ ଚହଟେ

ସେ ଅବା ଚାଲିବ ପୁଣି ଦମ୍ଭ ଭରି ଜୀବନର ନୂଆ ବାଟେଘାଟେ ।।

ବିସ୍ତାରିତ ଉଲ୍ଲାସରେ ଆଜି ଏଇ ସକାଳ ଆସିଛି

ବିହଗ ବନ୍ଦିତ ବହୁ ଗାଁଗଣ୍ଡା କ୍ଷେତେ ବିଲେ ଭୋର ଭାଙ୍ଗିଅଛି

ଉତ୍ସବ ମୁଖର ଏକ ଫଲ୍‌ଗୁ ସ୍ରୋତ ପ୍ରତିଟି ପ୍ରାଣରେ

ଚମତ୍କାର ଏ ସକାଳ ମୋ ପୃଥ୍ୱୀର ମୋହ ତୁଟାଇଛି ।।

ନୀରବ-ମୁଖର ଏଇ ସକାଳଟି ପ୍ରାଣର ଦ୍ୟୋତକ

ଆଲୋକର ନୂଆ ସ୍ଫୁର୍ତ୍ତି ପବନରେ ଅଜସ୍ର ଆଶିଷ

କୋଇଲି ଓ କୁମ୍ଭାଟୁଆ କଣ୍ଠଭରି ବେଦ ପୂରବୀର

ସାରା ଅଙ୍ଗେ ଲେପିଯାଏ ନାନା ଫୁଲ ଗନ୍ଧର ପୀୟୂଷ ।।

ସବୁକିଛି ଭୁଲି ହୋଇଯାଏ ବିଗତ ଦିନର ।

ଡାଏରୀର ପୃଷ୍ଠାସବୁ ନିରର୍ଥକ ।

ଚମତ୍କାର ! ଚମତ୍କାର !! ଆଜି ଏ ସକାଳ

ହୃଦୟ ବିସ୍ତାରଦିଏ ଦିଗ-ଦିଗନ୍ତରେ

ସବୁ ଆଜି ଏକାକାର,

ଭିନ୍ନାଭିନ୍ନ ତୁଚ୍ଛା ଅବନ୍ତାର

ଗୋଟିଏ ସଙ୍ଗୀତ ଶୁଭେ ଅନାହତ

ସୃଷ୍ଟି ମୋର ଚିର ବସନ୍ତର

ପତ୍ର ଝଡ଼ି ପଡ଼ିଲେ ବି

କଳି ନିଶ୍ଚେ ମଣ୍ଡିଦେବ

ପୁନର୍ବାର ନବକଳେବର ।।

Image

 

ସାୟନ୍ତନ

 

କଟକରେ ବେଳ ବୁଡ଼ିଗଲେ

ହଠାତ୍‌ ଟ୍ରାଫିକ୍‌ ଜାମ ବଢ଼ିଯାଏ,

ଅବିନ୍ୟସ୍ତ କିଣାବିକା ଜୀବନ ଭିତରେ ।।

ଷ୍ଟେସନ୍‌ରେ ଖୁବ୍‌ ଭିଡ଼-ଟ୍ରେନ୍‌ ଛାଡ଼େ

ଟିକେଟ୍‌ ନ ପାଉ-ଟାଉନ୍‌ବସ୍‌ ଛୁଟେ ଟଳି ଟଳି

ଡ୍ରାଇଭର୍‌ ଡାଉନ୍‌ ନିଶାରେ । ଖୁବ୍‌ ଭିଡ଼ ଖୁବ୍‌ ଭିଡ଼

ବାପ-ପୁଅ ଶାଢ଼ୀ ଦୋକାନରେ

ସବୁଠି ହାଉସ୍‌ ଫୁଲ୍‌ ସିନେମାର ଟିକେଟ୍‌ ନ ମିଳେ ।।

କାହାର ଏଠି ବା କେହି ଆପଣାର ନୁହଇଁ ସଂସାରେ

ହଠାତ୍‌ ଆକ୍‌ସିଡ଼େଣ୍ଟ ଦେଖାଚାହାଁ

ତା’ପରେ ଯିଏ ବା ଯୁଆଡ଼େ । ଅପେକ୍ଷାର ସ୍ୱାଦ ଏଠି ଖୁବ୍‌ ପିତା

ପ୍ରେମିକ ବା ପ୍ରେମିକାର ଲାଗି । ସେ ଯଦିବା ନ ଆସିଲା

ଇଏ ଭଲ, ଅନ୍ଧାରରେ ସବୁ ସ୍ୱାଦ ଏକ ଅଟେ

ସାମ୍ୟବାଦ ଆସିଛି ରୁଚିରେ ।।

କଲେଜ ଛକରେ ସନ୍ଧ୍ୟା ବୀତସ୍ପୃହ ସବୁରି ଆଖିରେ

ଦିନ ସାରା ବିତିଗଲା ବୃଥା ସ୍ୱପ୍ନେ । କଲେଜର କରିଡ଼ର

ଅବା କ୍ଲାସ୍‌ରୁମ୍‌ ଘୂରିବାରେ । କିଏ ସେଠି ରିକ୍‌ସା ଚଢ଼େ

ଏଣେ ତେଣେ ଚାହିଁ ଚାହିଁ ବ୍ୟର୍ଥ ଏକ ଭରା ଦେହ

ରିକ୍ତ ଶାଢ଼ୀ ସଜାଡ଼ି ବ୍ୟସ୍ତରେ । ଆକାଶରେ ଅସ୍ତରଙ୍ଗ

ମନ ଫିକା ପଡ଼ିଆସେ ଜୀବନଟା ବୀବର୍ଣ୍ଣ ଏଠାରେ ।।

ସାୟନ୍ତନୀ ଆକାଶରୁ ଅନ୍ଧକାର ତୋଳି ଆଣେ

ରେଭେନ୍‌ସା କଲେଜର ଉଚ୍ଚ ଉଚ୍ଚ ଦେବଦାରୁ ଚୂଳ

ସାଂଧ୍ୟ ମହାବିଦ୍ୟାଳୟେ ଭିଡ଼ ଜମେ ଥାର୍ଡ଼ ଗ୍ରେଡ଼୍‌ ଜୀବନ ବିକଳ

ସଭିଙ୍କ ଆଖିରେ ଏକ ଦଶା ପରି ଅବସାଦ ଖାଲି ଅବସାଦ

ପ୍ରାଣାନ୍ତକ ଶ୍ରମ ପରେ ଅଫିସ୍‌ରୁ ଏ କଲେଜ

ଆହେ ପ୍ରଭୁ ନ କର ଏ ପ୍ରୟାସ ବିଫଳ ।।

କଟକେ ନ ଥାଏ ରାତି

ପୁରୀ ଗଲେ ହଜିଯାଏ ଜାତି

କଟକର ସାୟନ୍ତନ ଆଜି–

ହରିନିଏ ଜୀବନ ପ୍ରତିତି ।।

Image

 

ଅନ୍ୱେଷଣ

 

ସମ୍ଭବତଃ ଈଶ୍ୱରଙ୍କ ସ୍ୱପ୍ନଭଙ୍ଗ ହେଲା ସେତେବେଳେ

ମୋ ଜନ୍ମର ପ୍ରଥମ ଶବ୍ଦରେ

ଅରଣ୍ୟର ସବୁ ଶ୍ୱାପଦଙ୍କ ନିଦ୍ରା ଭାଜିଗଲା

ଓ ସେମାନେ ବିହାର କରିଲେ

ଫୁଟନ୍ତା ଫୁଲରେ ଚୁମା ଓ ଚିତ୍ରିତ ପ୍ରଜାପତିଠାରେ

ସ୍ନେହର ଅସରା ଇଚ୍ଛା ଭରିଦେଇ ଅତି କୌତୁକରେ

ଝରଣା ବହିଲା ବେଶ୍‌ କୁଳୁକୁଳୁ

ବାଆ ପୁଣି ଖେଳି ଖେଳି ବହିଗଲା

ସମୁଦ୍ରର ଆବକ୍ଷ ନୃତ୍ୟରେ ।।

ବାଳୁତ ସମୟ ମୋର ବିତିଗଲା କେତେବେଳେ

ଖେଳ ଘର ନିଖୋଜ ସ୍ୱପ୍ନରେ

ସମୟର ସ୍ରୋତ ମୋତେ ଛୁଇଁ ମଧ୍ୟ ଛୁଇଁ ନାହିଁ

ମୁଁ ଶୋଇଛି ରାତି ହେଲେ ପ୍ରତିଦିନ ବେଶ୍‌ ନିଦେ ମୋ ମାଆର କୋଳେ ।।

ମୁଁ ଜାଣି ନ ଥିଲି ତହିଁ ଦେହଠାରୁ ମନ କେତେ ଦୂର

ମନଠାରୁ ପ୍ରାଣ ପୁଣି ଅନ୍ୟ ଦେହ, ମନ ପୁଣି ସ୍ୱପ୍ନ କେତେ ଦୂର

ଅବା ଏଇ ଅବିନ୍ୟସ୍ତ ଜୀବନର ନାନା ବେଳକାଳ ।।

ଜୀବନରେ ଯୌବନ ହିଁ ଶ୍ରେଷ୍ଠ ଦାନ

ଦୁର୍ଭାଗ୍ୟ ବି ଥିଲା ମୋହ ପାଇଁ

ଦିନସାରା କଟିଯାଏ ଖରାରେ ଜଳକା ନୀଳ ଆକାଶକୁ ଚାହିଁ

ରାତ୍ରି ଯାଏ ତନ୍ଦ୍ରାସକ୍ତେ ଅବା କେବେ ଅଚେତ ନିଦରେ

ସମୟ କେଉଁଠି ଯାଏ ଈଶ୍ୱରଙ୍କ ସ୍ଥିତି କେଉଁଠାରେ

ଆଦୌ ମୁଁ ପାରେନି ଜାଣି ଯେବେ ତୁମେ ଧିରେ ଆସ

ଜଲେଜ୍‌ର ଲନ୍‌ରୁ ଏକା ଏକା ହସି ହସି

ଅବା ତ୍ରାସଭରା ନିର୍ଜନ ସନ୍ଧ୍ୟାରେ

ଦେହର ଉତ୍ତାପ ଢାଙ୍କି ତୁମ ଦୁଇ ନିରୀହ ଆଖିରେ ।।

କେତେ ମନ ମହୋତ୍ସବ ନ ସରିଛି କହ ଏଇ ବୟସ ଇଚ୍ଛାରେ

ତାହା ଆଦୌ ମନେ ନାହିଁ

ଏ ସମୟ ନଈକୂଳେ ରହି ଏବେ ଭଦ୍ରଲୋକ ପରି ଚାହେଁ ମୁଁ ଉଦାସେ

ଆରକୂଳ ଗଛପତ୍ରେ ଶୁନ୍‌ଶାନ୍‌ ନିଥର ଜଳର କଳା ତୁଠପଥରରେ

ଯେଉଁଠି ବିଗତ ରାତ୍ରିର ବ୍ୟବହାର ପରେ

କେତେ କା’ର ମଲ୍ଲୀମାଳ ଭାସେ

ଟିକି ଟିକି ଢେଉ ମଥାନରେ ।।

ଏତେ ଦୀର୍ଘ ଛତିଶ ବର୍ଷରେ ଆଜିପରି ପ୍ରତିଥର

ଶରତ ଋତୁ ବି ଫେରେ ଶ୍ୟାମସପ୍ପ ସବୁଜ ପୃଥ୍ୱୀରେ

ଅନେକ ଜୀବନଦ୍ୱନ୍ଦ ଗୀତ ହୋଇ ବହିଯାଏ

ବାସ୍ନାମୁଗ୍‌ଧ ଶୀତଳ ହାୱାରେ

ଆଜି ପୁଣି ବାରମ୍ବାର ମୋତେ କିଏ ଧିକ୍‌କାରେ ଭିତରୁ

‘ବାବୁ ତୁମେ କି କଲ କି କଲ

କେଉଁ ନାରୀଜାନୁଲୋଭେ ଅନ୍ତଃସାରଶୂନ୍ୟ ସିନା ହେଲ !!’

ଆଜି ମୁଁ ଫେରୁଛି ପୁଣି ଏ ନଈର ବାଲିରେ ବାଲିରେ

ଆଜି ମୁଁ ସାଉଁଟି ବସେ ଉଦାସରେ ଭୁଲୁଣ୍ଠିତ ଗଙ୍ଗଶିଉଳିକୁ

ଆଜି ମୁଁ ଚାହୁଁଛି ପୁଣି ଶରତର ସ୍ନିଗ୍‌ଧ ନଈ ଜଳ ନୀରବ ସ୍ରୋତରେ

ଆଜି ମୁଁ ଖୋଜୁଛି ଅତି ଉତ୍କଣ୍ଠାରେ ମୋ ପ୍ରଥମ ଧ୍ୱନିତ ଶବ୍ଦଙ୍କୁ ।।

ଶବ୍ଦସବୁ ଫେରୁଛନ୍ତି ପକ୍ଷୀଙ୍କର ଓଳମାଳ କାକଳି ଭିତରେ

ଶବ୍ଦ ଘେରି ରହିଛନ୍ତି ଈଶ୍ୱରଙ୍କୁ ଶବ୍ଦ ପୁଣି ମୋହରି ଦେହରେ

ମୋତେ ଗ୍ରାସ କରୁଛନ୍ତି; ମୁଁ ଜାଣିପାରୁନି

ସ୍ଥିତି ମୋର

ସ୍ମୃତି ମୋର

ଅଛି କେଉଁଠାରେ ।।

Image

 

ଏପିଟାଫ୍‌

 

ନା’ ଭିତର ନା’ ବାହାର ।।

ସମୟ ଅସ୍ଥିର କରେ ଶଯ୍ୟା ମୋର

ବହିପତ୍ର ଓ ଅନ୍ୟାନ୍ୟ ସକଳ

ଯେଉଁଠି ମୋ ଜଳୁଥାଏ

ସମ୍ପର୍କର ଟିପଚିହ୍ନ ଗର୍ବିତ ସ୍ୱାକ୍ଷର ।।

ମାଇଲ ମାଇଲ ବ୍ୟାପି ସର୍ବତ୍ର ଆଜି ମୋ

ମୃତ ଅରଣ୍ୟର କାଠକଟା ସ୍ୱର, କ୍ରମଶଃ

ଅସ୍ଥିର ହୁଏ ଶୂନ୍ୟ ନଭେ ଏକଇ ବିହଗ,

ନିରସ୍ତ୍ର ନୀଳିମା ଭେଦି ହଜେ କାହିଁ

ଥରିଯାଏ ସବୁ ଦିଗ ଭାଗ ।।

ସମ୍ପର୍କ ବଇରୀ ମୋର-ଅରଣ୍ୟର ସୁଖ ମୋର ସ୍ୱପ୍ନ

ବହିପତ୍ର ତସୁକୁଟା, ଭ୍ରମଣ ମୋ ତୁଚ୍ଛା ଅବାନ୍ତର

ତେଣୁ ଏଠି ଶେଷ ହୁଏ-

ସୂଯ୍ୟାସ୍ତର ଶେଷ ସଂକୀର୍ତ୍ତନ ।।

ନା’ ଭିତର ନା’ ବାହାର–

କାହାର ଜ୍ୱଳନ !!

Image

 

ଲୟ ବିଲୟ

 

ବେଳେ ବେଳେ ବାଷ୍ପରୁଦ୍ଧ ହୋଇଯାଏ ସମୟର

ମୋ ଉନ୍ମୁକ୍ତ ଶୂନ୍ୟ କୋଠରୀରେ, ବାସ୍ନା ନାହିଁ-

ବର୍ଣ୍ଣ ନାହିଁ, ସ୍ୱାଦ ଅବା ଶବଦ ନ ଥାଇ ବସ୍ତୁମାନଙ୍କର

ଦେହ ମୋର ଶୁଖି ପଡ଼ି ରହିଥାଏ

ଦୁଃଖ ଦେଖି ତୁମେ ଆସୁଥିବା ମୁହୂର୍ତ୍ତର ।।

ସେତେବେଳେ ତୁମେ ଏକମାତ୍ର ଧ୍ୱନିତ ଶବ୍ଦ ମୋର

ଯାହା ନିସ୍ତରଙ୍ଗ ମଧ୍ୟରାତ୍ରି ଆକାଶର ଶୀର୍ଷତମୁ ଖସେ

ଓ ନିରବଧି ଜୁରକରେ ଅନ୍ଧକାର ଚିତ୍ରିତ ରଜନୀ

ବର୍ଣ୍ଣାଳୀ ନିହତ ଦିବା ସଂଜ ଓ ସକାଳ । ମଧୁର ସ୍ୱପ୍ନରେ

ତୁମେ ପୁଣି ଆସ ଦୂର ଦିଗ୍‌ବଳୟ ତଳୁ

ବିଦଗ୍‌ଧ ନିଃସଙ୍ଗ କ୍ଷୀଣ ବଂଶୀର ନିଃସ୍ୱନ

ଅସ୍ତବ୍ୟସ୍ତ କରି ଅକାରଣ ।।

ବେଳେ ବେଳେ ତୁମ ଦେହ ଆଲୋକରେ ବେଶ୍‌

ଜୀଇଁଉଠେ ମୂର୍ଚ୍ଛାହତ ମାଟି ଓ ଆକାଶ

ପଉଷ ପଳିତ ବୃକ୍ଷେ କଅଁଳାଇ କଢ଼ ଆଉ ଫୁଲର ପାଖୁଡ଼ା

ମନେହୁଏ ସବୁକିଛି ହସ ସହ ପରିଚିତ ଓ ସନ୍ନିକଟ ମୋର ଏଠି

ଲୋଡ଼ା ବା ଅଲୋଡ଼ା ।।

ବଣମଲ୍ଲୀ ବାସ ପରି ତୁମ ଛବି ବେଳ ଅବେଳରେ

ଆଖି ଆଗେ ଭାସେ ଦିବାଲୋକେ, ବଗିଚାରେ ଫୁଲ ଫୁଟେ

ପ୍ରଜାପତି ସଂଜ ଓ ସକାଳେ ତୁମ ଛବି ଆଙ୍କିଯାଏ

ତା ଚିତ୍ରିତ ଡେଣାର ଶବ୍ଦରେ ।

ତଥାପି କାହିଁକି ସବୁ ମିଛ ପରି ଲାଗେ

ପ୍ରତିଥର ପ୍ରତି ମୁହୂର୍ତ୍ତରେ ।।

ଜୀବନ ବଞ୍ଚିବା ଭଲ; ଜୀବନକୁ ଖୋଜିବାଇ ବୃଥା

ବରଂ ମୃତ୍ୟୁ ଖୁବ୍‌ ଭଲ ସମୁଦ୍ରରେ ଅନ୍ଧ ହୋଇଯିବା

ସମୟ ମାପିବା ଭୁଲ୍‌, ଯେଣୁ ତୁମ ଗତି ହିଁ ସମୟ

ଜୀବନ ଓ ମୃତ୍ୟୁ ମିଶି ଏକ ବିନ୍ଦୁ ତୁମ ପରିଧିର

ଯେଉଁଠାରେ ତୁମେ ନିତି ଲୟ ଓ ବିଲୟ ।।

Image

 

ପୁରୀଯାତ୍ରା

 

ପୁରୀର ସମସ୍ତ ତୀର୍ଥ ଓ ଝାଉଁ ଦୃଶ୍ୟ ତଦୁପରେ ସମୁଦ୍ର ଗଭୀର

ତଥାପି ଏସବୁ ପରେ କାହାର ସେ ଦୁଇ ଆଖି ନୀଳ ଢଳ ଢଳ

ପଛରୁ ଡାକଇ କେତେ ପାଶେ ଗଲେ ରହେ ନିର୍ବିକାର

ତେଣୁ ଲାଗେ ପୁରୀ ଯିବା କି ଅବା ଦରକାର ।।

 

କିବା ଲୋଡ଼ା ଫେରିବାକୁ ପ୍ରଭୁ ! ପୁଣି ଥରେ ପୁରୀ

ସେ ଦୁଇ ନିର୍ମଳ ଆଖି ଯହିଁ ମକ୍‌ଚି ହୋଇଯାଏ

ପାରି ହେଉ ହେଉ ମାତ୍ର କେତେ ହାତ ସମୁଦ୍ରର ବାଲି

ଯଚିଚ ସେଠାରେ ଏଟା ନିହାତି ମାମୁଲି ।।

 

ସମୁଦ୍ର ଗାଧୋଇସାରି ଫାରିବାରେ କିବା ପ୍ରୟୋଜନ

ଯଦି ମୁଁ ପାରିବି ନାହିଁ ଯୋଡ଼ି ହୋଇ ବଡ଼ ଦେଉଳରେ

ଦେହର ଗୋଟିଏ ପ୍ରାନ୍ତ ରଖି ଓ ଅନ୍ୟଟି ସରଳ ରେଖାରେ

ଲମ୍ବାଇଣ ଦେଇ ଠିକ୍‌ ନୀଳ ସମୁଦ୍ରରେ ।।

 

ପ୍ରଭୁ ମୋତେ ତେଣୁ ଆଜି କ୍ଷମାକର ଦିବା ଆଲୋକରେ

ମୁଁ ଶହେ ଗୋଲାପ ଦଳି ଅତି ନିର୍ବିକାରେ

ଡେଇଁ ଲକ୍ଷେ ଯୋଜନର ନିବିଡ଼ ଅରଣ୍ୟ

ପଦ୍ମଭାର ତୁମଲାଗି ପାରିବିନି ନେଇ-

ଓ ପାରିବି ନାହିଁ ଏ ଯମୁନା ଜଳଧାର ଡେଇଁ ।।

 

ଯେଣୁ ତୁମେ ଫେରାଇଛ ବାରମ୍ବାର ମୋତେ

ତୁମର ସବୁଜ ଶଯ୍ୟା କଦମ୍ବ ରାତିରେ

ଯେଣୁ ତୁମେ ନ ଶୁଣିଛ ମୋର ନୀଳ ଆର୍ତ୍ତ-ପଦ୍ମ-ହ୍ରଦର ଡାକରା

ଯେଉଁଠି ତୁମର ଦୁଇ ଶୂନ୍ୟ ଆଖି ଅଛି ଥକ୍‌କା ମାରି ।।

 

ତୁମେ ପୁଣି ଦେଖିପାର ଟଳମଳ ଟଳମଳ ଏହି ମୋର

ଦେହପତ୍ର ଝଡ଼ ଝଡ଼ ପଡ଼ିବାର ଛଇ

ତୁମେ ପୁଣି ବାରିପାର ତୀବ୍ର ବାସ୍ନା ଶହେ ଶୁଷ୍କ ନୀଳ କୋରକର

ତୁମେ ମଧ୍ୟ ଶୁଣିପାର ପ୍ରିତିଦିନ ମରଣଶୀତ୍‌କାର

ଯେଣୁ ମୋ ରମଣ ନିତି ମୃତ୍ୟୁ ସଙ୍ଗେ ଦିବା ରାତି ଘୋର ।।

 

ଆଜି ଯେଣୁ ଫେରିବାକୁ କିବା ଲୋଡ଼ା ପ୍ରଭୁ !

ପୁଣି ଥରେ ଫେରିବାକୁ ପୁରୀ

ଯେହେତୁ ପାହିନି ରାତି ରହିଅଛି ବାକି

ନିଭିନାହିଁ ପାହାନ୍ତାର ମୋ ପୋଷକ ଶେଷରେ ଏ ବତୀ ।।

 

ଏ ରାତି ପାହିବ । ଯେବେ ମୁଁ ଫେରିବି ପରିତ୍ୟକ୍ତ ହୋଇ

ପ୍ରୀତିର ପଲ୍ଲବ ଶେଯୁଁ ଯାହା ପୁଣି ହେବ ଅଧିକାର

ଆଉ କା ଉଦ୍‌ବୃତ୍ତ ଦେହେ ନିବିଡ଼େ ବ୍ୟସ୍ତରେ

ଜୀବନରେ ଶିଳ୍ପୀ ସେ ବିକଳ ।।

 

ମୁଁ ଆସି ଧୋଇବି ମୋର କ୍ଷତଚିହ୍ନ ସମୁଦ୍ର ଭିତରେ

ଓ ଡାକିବି ସକାଳର ନୂଆ ଖରା ଉଷ୍ଣ ଜାହାଜରେ

ଶହେ ରକ୍ତଜବା ଫୁଲମାଳ ଦେଇ ତାହାର ବେକରେ

ମୁଁ ପ୍ରାର୍ଥନା ଆରମ୍ଭିବି ଆଣ୍ଠୁମାଡ଼ି ସମୁଦ୍ରବାଲିରେ

ସେଇଠୁ ସରିବ ମୋର ପୁରୀଯାତ୍ରା ପ୍ରଭୁ !

ତୁମେ ତହିଁ ଜଗିଥିବ ନୀଳାଚଳ କଳ୍ପବଟଡାଳେ

ମୋର ନୀଳ ମାଂସ ଲୋଭୀ ଚକା ଆଖି କ୍ରୁର ଜରଦ୍‌ଗବ,

ନିତି ନିତି ସଞ୍ଜ ଓ ସକାଳେ ।।

Image

 

ସ୍ମୃତି ଆବୃତ୍ତି

 

ସରେ ନାହିଁ ଦିନ-ସରେ ନାହିଁ ରାତି.....

ପ୍ରତିଟି ମୁହୂର୍ତ୍ତ ଯାଏ ହାତୀ ଚଢ଼ି, ଦୁଃଖର ମୁହୂର୍ତ୍ତ

ଯାଏ ବା ଅରଣ୍ୟ ଆଉ ପାହାଡ଼ର ଘାଟି ଡେଇଁ ତୁମରି ସ୍ମୃତିର...

ବିଲମ୍ବିତ ବଂଶୀତାନେ ଆଷାଢ଼ ବା ଶ୍ରାବଣର ମହ୍ଲାର ଛୁଟାଇ ।।

 

ପାହାଡ଼ର ଗ୍ରୀବା ଭାଙ୍ଗି ଯେତେବେଳେ ରାତି ଆସେ ଚାଲି

ତୁମର ସେ ଭାରି ଛାତି ଭୀରୁ ଆଖି ଯତ୍ନହୀନ ଶିଥିଳ କବରୀ

ମନେ ପଡ଼େ ଏକାନ୍ତରେ ଲୁହ ଆଖି ରୁଦ୍ଧ ଛାତି ତଳେ

ଅନ୍ଧକାର ଚରିଯାଏ ଚତୁର୍ଦ୍ଦିଗ,

ଆକାଶ ଓ ପୃଥିବୀର ଗଳିକନ୍ଦି ରାସ୍ତାଘାଟ ପ୍ରତିଟି ବସ୍ତିରେ ।।

 

ସବୁକିଛି ଦେଇଦେବି ସ୍ମୃତି ମୋର

ସବୁକିଛି ଦେବି

ରକ୍ତରୁ ଗୋଲାପ ଦେବି ଡିସେମ୍ବର ଶୀତାର୍ତ୍ତ ରାତିରେ

ହାଡ଼ର ଚଉକି ଦେବି ଶଙ୍ଖ ଶୁଭ୍ର !

ଆତ୍ମା ମୋର ତୁମ ଲାଗି ହେବ ପଦ୍ମଗନ୍ଧ

ତମେ କି ଆସିବ ସତେ ସାରା ରାତି କଦମ୍ବର ରୋମାଞ୍ଚ ଭିତରେ

ଏ ଦଣ୍ଡକ ଅରଣ୍ୟର ଗିରି ନଦୀ ଅଲଂଘ୍ୟ ସେ

ନିର୍ଝର ଓ ଘାଟି-ରାସ୍ତା ଡେଇଁ

ଭାଙ୍ଗିଦେଇ ଯାହା କିଛି ବାଡ଼ ହିଡ଼ ଅନ୍ୟ ଅନ୍ୟ ସମ୍ପର୍କର ବନ୍ଧ ।।

 

ତମେ ଆସ ନ ଆସ ବା ଅରଣ୍ୟର ଚକିତ ରାସ୍ତାରେ

ତମେ ଭୁଲିଯାଇପାର ସ୍ମୃତି ମୋର ଏଇ ପୃଥିବୀରେ

ତମେ କି ପାରିବ ରହି ନିଶ୍ଚିନ୍ତରେ ଅନାବନା ଅତୀତର ତଳେ

ଯେତେବେଳେ ଖୋଜିଯିବ ଆକସ୍ମାତ୍‌ ଗଲାଦିନ ହଜିଲା ସ୍ମୃତିରେ !!

 

ଅତୀତର ଅନ୍ତର୍ଦାହ କେହି କେବେ ପାରେନି ଏଡ଼ାଇ

ପ୍ରେମରେ ଅତୀତ ଏକ ଅସହଣୀ ରୂପବତୀ ନଈ ।।

Image

 

ଦାସିଆ ଉବାଚ

 

ଏ ଛାର ଦାସିଆଠାରୁ କେତେବଡ଼ ତୁମର ସଂସାର !!

କହ ପ୍ରଭୁ ! ହେ ଶ୍ୟାମସୁନ୍ଦର, ତୁମ୍ଭକୁ ମୋ’ରାଣ

କିବା ସତେ ମନେପଡ଼େ ଏ ଦୀନ ଭକତ ତୁମ

ନିଶି ଅର୍ଦ୍ଧେ କରୁଥାଅ ଯେବେ ତୁମ୍ଭେ କଦମ୍ବ ଶୟନ ?

 

ତୁମେ ନିତି ଘୂରୁଥାଅ ତୁମ ଗୋଲ୍‌ ବଜାର ଭିତରେ

କିବା ଦକା ତୁମ ମନେ କହ ହେ ଗୋସାଇଁ

ଏ’ ମୋ ଲାଗି-ଅବା କେଉଁ ବାରତାରେ

(ଯା’ ଲାଗି ମୋ ଉଜାଗର ଦିବାନିଶି ବିଅର୍ଥେ ବିତଇ)

ସତ ମୁଁ ମଣିମି ତୁମେ ତୁମ ମନ କଥା

ମୋହଲାଗି ସରାଗରେ-ଫୁଲେ, ଫଳେ ପବନରେ

ଅବା ନଦୀ ସ୍ରୋତେ, ହୃଦ ଭରି ଅଛ ପଠିଆଇ ।।

 

ପକ୍ଷୀ ଉଡ଼ିଯାଏ ଆକାଶରେ

ଭେଦି ନୀଳ ଗହନ ଆକାଶ ।

କଞ୍ଚନ ଗଛର ପତ୍ର ବୋହିନିଏ ତୁମ ତୀକ୍ଷ୍‌ଣ ଉଦାର ସେ ନଈ

ମୟୂର ନାଚଇ ଏଇ ବନ ତଳେ ପୁଚ୍ଛ ମେଲି,

ଇନ୍ଦ୍ରଧନୁ ବର୍ଣ୍ଣଳୀ ସକାଳେ

ତୋଟାମାଳ ଅରଣ୍ୟରେ ଏ ପବନ ଘୂରିଯାଏ

ଅହରହ ତୁମ ଗୀତ ଗାଇ ।।

 

ମୁଁ ତ ଏବେ ବଲାଙ୍ଗୀର ଏ ସହର କୁମ୍ଭାର ସାହିରେ

ଥୁଣ୍ଟା ତୋଟାମାଳ, ନଈପଠା, ଶହ ଶହ ମାଇଲର

ପ୍ରତି ମୁହୂର୍ତ୍ତରେ ପତ୍ର ଝଡ଼ି ପଡ଼ୁଥିବା ବିଦଗ୍‌ଧ ଅରଣ୍ୟ

ଘୂରି ଘୂରି ଜୁର କରି ଫେରି ଏଠି ନେଇଛି ଆଶ୍ରୟ

କୁହ, କୁହ ପ୍ରଭୁ ! ତୁମ୍ଭେ କେଉଁ କତିପୟ ସ୍ଥାନରେ ନିବାସ

ବନାଇଣ ସୁଖେ ରହିଅଛ ??

 

କଞ୍ଚନ ଗଛର ଦୃଶ୍ୟ ମନୋହର;

ଓ ତାହାର ପତ୍ର ଝଡ଼ି ବହିଯାଏ ନଦୀ ସ୍ରୋତେ

ଘୋର ରାତି ଗଭୀର ସାଗର । ମୁଁ ଜାଣିପାରେନି ପ୍ରଭୁ

ପତ୍ର ଝଡ଼ିବାର ସ୍ୱର ଅରଣ୍ୟରେ ମୋତେ କିଆଁ କରଇ କାତର ।।

 

ତହିଁପରେ ଫେରାଇଲେ ଆଖି ଏଥି କୁମ୍ଭାରଶାଳରେ

ତୁମରି ଖିଆଲି ମନ ସହିତରେ ମନ ମୋର ଘୂରିବୁଲେ

କୁରାଳଚକ୍ରରେ ।।

ସୃଜନେ ନିୟତ ରତ ଅନ୍ତହୀନ ଅନ୍ତରୀକ୍ଷେ

ଅବା ନୀଳ ସମୁଦ୍ର ଗର୍ଭରେ ।।

 

ତୁମେ ସତେ ଗଢ଼ିପାର ତୁମ ମନେ ମନେ

କେତେ ନାଇଁ କେତେ ଯେ କଣ୍ଢେଇ

(ମୋତେ କି ଗଢ଼ିଛ ତୁମ ମନେ !!) ଭାଙ୍ଗି ଦେଇପାର ସହଜରେ

ମୁଇଁ ସିନା ଭାଙ୍ଗିଗଲାବେଳେ,

ଅନ୍ୟ ଅନ୍ୟ କଣ୍ଢେଇ ମେଳରେ

ଦୁଃଖ କରେ, ତୁମେ କିନ୍ତୁ ହସି ହସି

ଚାଲିଯାଅ ତୁମ କୋଠରୀକୁ

ଅନ୍ୟ କାହା ସାଥେ

ଜହ୍ନିଫୁଲ ଫୁଟିଲେ ବାଡ଼ିରେ ।।

Image

 

ଶେଷ ଅଧ୍ୟାୟ

 

‘‘ଗୁରୁଃ ବ୍ରହ୍ମା, ଗୁରୁଃ ବିଷ୍ଣୁ, ଗୁରୁଃ ଦେବ ମହେଶ୍ୱର

ଗୁରୁଃ ସାକ୍ଷାତ୍‌ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରୁବେ ନମଃ ।।’’

ଏ ମାଟିରେ ସୁନା ଫଳେ, ଏ ଆକାଶେ ଅସଂଖ୍ୟ ତାରକା

ଚନ୍ଦ୍ର, ସୂର୍ଯ୍ୟ ମେଘମାନଙ୍କର ଯଥାବିଧି ଆତଯାତ

ପବନରେ ମଧ୍ୟ ଏଠି ରହିଛି ଆହ୍ଲାଦ

ନୀଳିମା ପ୍ରାଚୁର୍ଯ୍ୟ ଧୀର ଉଦ୍ଦାତ୍ତ ସମୁଦ୍ର ! (ସବୁ ଠିକ୍‌

ସବୁ ଭୁଲ୍‌) ଉପରେ ପୁନଶ୍ଚ ସମସ୍ତ ଠିକ୍‌, ସରସ ସୁନ୍ଦର

ସୌମ୍ୟ ଏ ଧରାରେ ପ୍ରଭୁ ବ୍ୟାପେ ଚରାଚର ।।

ଓ’ ବେଳ ମୋର ମଧ୍ୟ ଆସି ହେଲାଣି ଆଖର

ବିଦାୟ ହେ ଗୁରୁଦେବ ! ନମସ୍କାର ଘେନ ନମସ୍କାର ।।

ଆଜି ବି ଶୁଭଇ ପୁଣି, ସେହି ଦୀର୍ଘ ପଣିକିଆ ସ୍ୱର

ହର ଗୁଣ ମିଶାଣ ଫେଡ଼ାଣ । ଯାହା ତୁମ ବେତ୍ରାଘାତେ

ରକ୍ତେ ମୋ ନହଡ଼ା ମାରେ ହିସାବ-ନିକାଶ ଲାଗି

ଏଇ ତେଲଲୁଣ ଜୀବନର । ଯା’ ମଧ୍ୟ ଲାବଣ୍ୟବତୀ

ସ୍ୱପ୍ନ ଆଉ ଚନ୍ଦ୍ରଭାନୁ ବିରହ ବେଦନା, ଏବେ ମଧ୍ୟ ପ୍ରଲମ୍ବିତ ସ୍ୱରର ମର୍ମର

ମନବୋଧ ଚଉତିଶା ଗାଇବାର ଶେଷେ

ଯଦିବା ମୁଁ ଜାଣେ ସବୁ ଏହା କିଛି ନୁହେଁ

ସପ୍ତାହନ୍ତ ଏକ ଦିନ, ଛୁଟି ଦିନ ଏହା ରବିବାର ।।

ମୋ ଅତୀତ ଏଇ ଦେଖ ଛଟପଟ ଛଟପଟ ସ୍ଥୂପ ସ୍ଥୂପ ବାଲି ଆଉ

ନିର୍ମମ ଖରାରେ

ସଙ୍ଗେ ନେଇ ନୀଳ ପ୍ରଜାପତି ତଥା ନେଳି ନେଳି ଫୁଲର ସହର

ଯହିଁ ଦିନେ ବୁଢ଼ାବାପା ତମପାଶେ ସମର୍ପିଣ ମୋତେ

ହୋଇଥିଲେ କ୍ଷମାରେ କାତର ଓ କହିଥିଲେ

‘‘ଏ ଯେ ମୋର ବାଳୁତ କୁମର ବଡ଼ ଦୁଷ୍ଟ । ମାଷ୍ଟ୍ରେ କିହୋ !!

ନ ଧରିବ ଦୋଷାଦୋଷ ତାର’’ ।।

ଆଜି ଦେଖ ତାହା ସବୁ ଅନେକ ଦୂରରେ

ଅଚେତ ପୁତନା ସମ ପଡ଼ିଅଛି ଏ ସହର ମଝି ରାସ୍ତାଟାରେ

ତା’ର ସ୍ୱର ଶୁଭେ ରହି ରହି-ସତେ ଅବା

ମୋ ଗାଆଁ ମଶାଣି ପଦା ଖରା ଦ୍ୱିପ୍ରହରେ

ଏକା ଠିଆ ହୋଇଥିବା ସୁନାରୀ ଗଛର ଡାଳେ

ନିଃସଙ୍ଗ କପୋତୀ ବସି ଗାଉଥିବା ଗୀତ

ଯାହା ଶୁଣିବାକୁ ଆଜି ଖୋଜିବୁଲେ ମୋ ଜୀବନ୍ତ ପ୍ରେତ ।।

ମୋ ଗାଁ’ର ପୁନି ମଲା ଭେଟଣାରେ

ବସନ୍ତର ତ୍ରିଛକ ଉପରେ

କୁନି ଗଲା ଶାଶୁଘର ଓ ମଧୁଆ ବିଷାଦରେ କଲିକତା ବହୁବଜାରରେ

ମୁଁ ମୂର୍ଖ ପାଷାଣ କାହିଁ ବହିପତ୍ର ମୋ ବିଛଣା ସଂସାର ମୁଣ୍ଡାଇ

ଘୂରି ବୁଲୁଅଛି ନାନା ସହରରୁ ଅନ୍ୟ ସହରରେ

ଶେଷରେ ପୁରୀରେ ସାରି ଚାରିବର୍ଷ

ଏଠି ପୁଣି ନଷ୍ଟ ଏକ ଅରଣ୍ୟ ଭିତରେ ।।

ସେଦିନ ହୁଡ଼ିଲି ବାଟ ଭୁଲିଗଲି ତୁମ ଯୋଡ଼ି ବେତ

ମୋତେ ଆଜି ଅନ୍ଧକାରେ ଦିଶେନାହିଁ ଗୁରୁଦେବ !

ବୁଲିଗଲି କେତେ ଦୀର୍ଘ ପଥ,

ମୋ ସ୍ମୃତିର ବର୍ଷା ଭାରେ ମୋ ଆଖିରେ ଆଷାଢ଼ର

ସାନ୍ଦ୍ର ନୀଳ ଅଜସ୍ର ବାଦଲ

ଭାବେ ଆଜି ଗୁରୁଦେବ ତମେ ସତେ କେଉଁଆଡ଼େ ଗଲ ??

ମୋତେ କିଏ ମଝିରାସ୍ତା ଛକପରୁ ଦିନେ

ହାତ ଧରି ଟାଣିନେଲା ବାଳୁତ ପରାଏ

ତା’ ଆଖିର ସମୁଦ୍ରରେ ଦିବସରେ ମୋତେ ସୂର୍ଯ୍ୟକଲା

ପୁଣି ଚନ୍ଦ୍ର କଲା ମୋତେ-ପାରିଦେଲା ଧଳା ଉତ୍ତରୀୟ

ନିଦରେ ଶୁଆଇ ଦେଇ ସ୍ୱପ୍ନର ଅମୀୟ

ପୁଣି ଚାଲିଗଲା କାହିଁ କେତେ ଦୂରେ-ମୁଁ ଉଠିଣ ନ ଦେଖିଲି ତାରେ

ମୋ ଘର ଶୂନ୍ୟ ବିଛଣା ଇତସ୍ତତଃ ବହିପତ୍ର ତଳେ

ଭୂଲୁଣ୍ଠିତ ଅବସାଦ ଗହଳ ଗୋଳରେ ।।

ହେ ଗୁରୁ ପବିତ୍ର !!

ତୁମକୁ ଭୁଲିଛି ଆଜି ଏଇ ଅକିଞ୍ଚନ

ଅମୃତସ୍ୟ ପୁତ୍ର ।।

ସେଦିନ ତୁମ୍ଭକୁ ମାନି ଆଣ୍ଠୁମାଡ଼ି ଚଉରା ମୂଳରେ

ବୋଉର ସଂଜକୁ ଫୁଙ୍କି ସେ ସଳିତା ଧୂସର ଧୂଆଁରେ

ମୁଁ ପ୍ରାର୍ଥନା କରୁଥିଲି ‘‘ମୋତେ ପ୍ରଭୁ ଶୁଭ ବୁଦ୍ଧି ଦିଅ

‘ଆହେ ଦୟାମୟ ବିଶ୍ୱବିହାରୀ’ କେ ତୁମେ

ମୋତେ ମାତ୍ର ଥରେ ଦେଖାଦିଅ

ଯଦିଚ ମୁଁ ନୁହେଁ ଧ୍ରୁବ

ମୁଇଁ ଏକ ଦୀନ ଦୁଃଖୀ ପୁଅ ।।

ସେ ଏକ ଦରିଦ୍ର ପୁତ୍ର ନିଷ୍କପଟ ଅମଳ ମତିର

ଆଜି ଏ ଦୁର୍ଦ୍ଦଶା ତା’ର-ଶେଷେ ଦେଖ ଏ ଅସ୍ତ ସୂର୍ଯ୍ୟର

ଏ କେଉଁ କାରୁଣ୍ୟ ଆହା ! ସାହାହୀନ ତ୍ରିଛକ ଉପରେ

ହଜାଇ ରାସ୍ତାକୁ ଖୋଜେ କୁଣ୍ଠିତ ତା’ ଆବଶ ପାଦରେ ।।

କ୍ଷମାକର ଗୁରୁଦେବ-ହେଉ ପଛେ ଏ ବେଳ ଆଖର

ବୁଡ଼ିଯାଉ ସୂର୍ଯ୍ୟ ଏଠି ରାତି ହେଉ ଯେତେ ଦୀର୍ଘତର

ମୋର କିବା ଲୋଡ଼ା ଆଉ ଫେରିବାକୁ ଗାଁ’ର ଗହୀରେ

ଏକା ଏକା, ଏବେ ଖରାବେଳେ

ବୃଦ୍ଧ ବଳଦକୁ ଯୋଚି ଶୂନ୍ୟ ଶଗଡ଼ରେ

ବେପାର ବଣିଜେ ହାରି ଖଜୁରୀର ମଦ ପିଇ

ଜୁଆ ଖେଳି ହାରିଛି ଯେ ମର୍ମାନ୍ତିକ ବଜାର ହାଟରେ ।।

ଆଜି ବେଶ୍‌ ଦିଶିଯାଏ ଚକ୍‌ ଚକ୍‌ ମୋତେ ଝରକାର ରେଲିଂ ସେପାଖେ

ତୁମ ଯୋଡ଼ିବେତ ଆଉ ହାତୀଦାନ୍ତ ଭୁଣ୍ଡିଲଗା ସୁବାସିତ କାଠର କଠାଉ

ତୁମ ଧୋତି ଓ ଦୋସଡ଼ା ସାଦା ସିଧା ଉଜ୍ୱଳ ଶରୀର

ତୁମେ ଦେବ ଗୁରୁଦେବ ମୋତେ ଆଜି ଥରେ କ୍ଷମାକର

ଖୋଲିଦିଅ ମୋ ଆଖିର ଅନ୍ତହୀନ ଆଲୋକର ଦ୍ୱାର !!

Image